ମହାଲକ୍ଷ୍ମୀ ବି ପାଳନ୍ତି ‘ଋଷିପଞ୍ଚମୀ’ ବ୍ରତ

ଭାଦ୍ରବ ମାସ ହେଉଛି ଭଦ୍ର ବା କଲ୍ୟାଣ ପ୍ରଦାନକାରୀ ବ୍ରତର ମାସ। ଏହି ମାସର ଶୁକ୍ଳ ପଞ୍ଚମୀ ତିଥିରେ ଏପରି ଏକ ବ୍ରତ ପାଳନ କରାଯାଏ, ଯାହା ଆମ ଋଷି ପରମ୍ପରା ସହିତ ଜଡ଼ିତ। ଏହାର ନାମ ‘ଋଷିପଞ୍ଚମୀ’ ବ୍ରତ।

ଭାରତୀୟ ଶାସ୍ତ୍ରରେ ‘ପଞ୍ଚଯଜ୍ଞ’ର ଉଲ୍ଲେଖ ରହିଛି। ଏହି ପଞ୍ଚ ଯଜ୍ଞ ମଧ୍ୟରୁ ଗୋଟିଏ ହେଉଛି ‘ଋଷିଯଜ୍ଞ’। ଏହାର ଅର୍ଥ, ଯେଉଁ ମୁନିଋଷିମାନେ ଆମକୁ ସୁନିୟନ୍ତ୍ରିତ ଜୀବନଯାପନ କରିବା ନିମିତ୍ତ ଶାସ୍ତ୍ରପୁରାଣମାନ ରଚନା କରିଛନ୍ତି, ସେମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ। ତାହାର ଏକ ସୁନ୍ଦର ଉଦାହରଣ ହେଉଛି ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିର ବ୍ରତପାଳନ।
ଏହି ତିଥିରେ କଶ୍ୟପ, ଅତ୍ରି, ଭରଦ୍ୱାଜ, ବିଶ୍ୱାମିତ୍ର, ଗୌତମ, ଜମଦଗ୍ନି ଓ ବଶିଷ୍ଠ ଆଦି ସପ୍ତଋଷିଙ୍କୁ ପୂଜା କରାଯାଇଥାଏ। ପ୍ରାଚୀନ କଥା ଅନୁସାରେ, ବଳଦ ଓ କୁକୁରୀ ଭାବରେ ଜନ୍ମ ନେଇଥିବା ଜଣେ ବ୍ରାହ୍ମଣ ଓ ତାଙ୍କ ପତ୍ନୀ ଏହି ସପ୍ତଋଷିଙ୍କର ସେବାକରି ମୁକ୍ତି ପାଇଥିଲେ।

ଏହି ବ୍ରତ ପାଳନକଲେ ନାରୀମାନଙ୍କୁ ସାଧାରଣତଃ ଋତୁକାଳୀନ ଦୋଷ ଲାଗେନାହିଁ ବୋଲି ବିଶ୍ବାସ ରହିଛି।

ସ୍ୱୟଂ ମହାଲକ୍ଷ୍ମୀ ମଧ୍ୟ ଏହି ବ୍ରତ ପାଳନ କରୁଥିବାର ପରମ୍ପରା ଶ୍ରୀମନ୍ଦିରର ରୀତିନୀତିରେ ରହିଛି। ବିଧି ଅନୁସାରେ, ଏହିଦିନ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ, ଶ୍ରୀଦେବୀ ରତ୍ନସିଂହାସନରୁ ଆସି ମାର୍କଣ୍ଡେଶ୍ୱର ପୁଷ୍କରିଣୀକୁ ଯାତ୍ରା କରିଥାନ୍ତି। ସେଠାରେ ମାଜଣା ପରେ ସେ ବରୁଣ ଦେବତାଙ୍କ ସହିତ ଏହି ସପ୍ତଋଷିଙ୍କୁ ଆବାହନ କରି କ୍ଷୀର, କଦଳୀ ଓ ଅନ୍ୟାନ୍ୟ ଫଳର ନୈବେଦ୍ୟ ସମର୍ପଣ କରନ୍ତି ଏବଂ ପୂଜାପଣ୍ଡା ପଢ଼ୁଥିବା ଋଷି ପଞ୍ଚମୀ ବ୍ରତକଥା ଶୁଣନ୍ତି। ବ୍ରତପରେ ଆଳତି ଅର୍ପଣ ହୁଏ ଏବଂ ତା’ପରେ ସେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏଥିରୁ ସୂଚିତ ହୁଏ ଯେ ସ୍ୱୟଂ ମହାଲକ୍ଷ୍ମୀ ମଧ୍ୟ ଋଷିମାନଙ୍କୁ ଯଥୋଚିତ ମର୍ଯ୍ୟାଦା ପ୍ରଦାନ କରିଥାନ୍ତି।

-ଡକ୍ଟର ତୁଳସୀ ଓଝା



from ଜୀବନଚର୍ଯ୍ୟା – Sambad https://ift.tt/2Yj7e7c

Post a Comment

0 Comments