ତୁମେ ଡର ନାହିଁ, ମୁଁ ତୁମକୁ ନିରୋଗ କରିଦେବି!

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକଦା ସୁସ୍ଥ ବ୍ୟକ୍ତିର ସଂଜ୍ଞା ନିରୂପଣ କରି କୁହାଯାଇଥିଲା- ଯେଉଁ ବ୍ୟକ୍ତି ଶାରୀରିକ, ମାନସିକ, ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସୁସ୍ଥ, ସେ ହିଁ ପ୍ରକୃତରେ ସୁସ୍ଥ। ପରେ ସେଥିରେ ‘ଆଧ୍ୟାତ୍ମିକ ସୁସ୍ଥତା’କୁ ମଧ୍ୟ ଯୋଡ଼ି ଦିଆଗଲା। କୁହାଗଲା- ଏସବୁ ସହିତ, ଜଣେ ବ୍ୟକ୍ତି ଆଧ୍ୟାତ୍ମିକ ଦୃଷ୍ଟିରୁ ସୁସ୍ଥ ବା ଦୈବୀଭାବସଂପନ୍ନ ହେବା ଆବଶ୍ୟକ।
ଆମ ପରମ୍ପରାରେ, ଆମକୁ ଆଧ୍ୟାତ୍ମିକ ଚିନ୍ତା ସଂପନ୍ନ କରିବାପାଇଁ କେତେକ ସ୍ତୋତ୍ର ବା ମନ୍ତ୍ର ପ୍ରଚଳିତ ଅଛି। କିନ୍ତୁ ଆୟୁର୍ବେଦରେ ମଧ୍ୟ ଅନେକ ମନ୍ତ୍ର ରହିଛି- ଯାହା ଆମକୁ ସୁସ୍ଥ ରଖି ପାରିବ।

‘ଭେଳ ସଂହିତା’ରେ ଏପରି ଗୋଟିଏ ମନ୍ତ୍ରରେ କୁହାଯାଇଛି, “ଅଗ୍ନି ମୋ ଶରୀରରୁ ବାହାରକୁ ନଯାଆନ୍ତୁ। ବାୟୁ ମୋ ପ୍ରାଣକୁ ରକ୍ଷା କରନ୍ତୁ। ବିଷ୍ଣୁ ମୋତେ ବଳ ପ୍ରଦାନ କରନ୍ତୁ। ଇନ୍ଦ୍ର ମୋତେ ଶକ୍ତି ଦିଅନ୍ତୁ। ଏବଂ ଶୁଭ ଜଳ ମୋ ଶରୀରରେ ସର୍ବଦା ପ୍ରବେଶ କରନ୍ତୁ। ଏହି ମନ୍ତ୍ରକୁ ବୁଝି, ପ୍ରତ୍ୟହ ଭୋଜନ ଓ ଶୟନ ପୂର୍ବରୁ ତାହାକୁ ଜପ କରିବାକୁ ନିର୍ଦ୍ଦେଶ ରହିଛି। ଏହା ଆୟୁରକ୍ଷା କରିବାରେ ସହାୟକ ହୁଏ।

ଆମର ଶରୀର ବାତ, ପିତ୍ତ ଓ କଫରୁ ସୃଷ୍ଟି। କିନ୍ତୁ ରକ୍ତ ବିନା ଏମାନଙ୍କର ସ୍ଥିତି ନାହିଁ ବୋଲି ‘ଚରକ ସଂହିତା’ର ଗୋଟିଏ ମନ୍ତ୍ରରେ କୁହାଯାଇଛି। ଅଗ୍ନି ବା ପିତ୍ତ ଶରୀରରେ କାର୍ଯ୍ୟ କରୁ। ବାୟୁ ବା ବାତ- ଅର୍ଥାତ୍ ଶ୍ୱାସପ୍ରଶ୍ୱାସ ଠିକ୍ ରହୁ। ଶୁଭଜଳ ଅର୍ଥାତ୍ କଫ ମଧ୍ୟ ପ୍ରକୃତିସ୍ଥ ଅବସ୍ଥାରେ ରହୁ। ଏବଂ ବଳ ବା ଶକ୍ତି ରକ୍ତରେ ଥିବାରୁ, ରକ୍ତ ମଧ୍ୟ ଦୂଷିତ ନହେଉ। ଏଣୁ ଏହା ଜୀବନ ସହିତ ସଂପୂର୍ଣ୍ଣ ରୂପେ ବିଜ୍ଞାନସମ୍ମତ ତତ୍ତ୍ୱରେ ଯୋଡ଼ା।

‘ଅଥର୍ବ ବେଦ’ରେ ବର୍ଣ୍ଣନା ଅଛି- ମନୁଷ୍ୟ ରୋଗରେ ପୀଡ଼ିତ ହେଲେ ଯେପରି ତାର ଚିକିତ୍ସା ବା ପ୍ରତିଷେଧକ ନିଶ୍ଚିତ ଭାବରେ କରିବା ଉଚିତ, ସେହିପରି ଏହି ମନ୍ତ୍ର ଜପକରି ବ୍ୟକ୍ତି ଦୈବୀଶକ୍ତିର ଅଧିକାରୀ ହେବା ଉଚିତ।

‘ଅଥର୍ବ ବେଦ’ର ଗୋଟିଏ ମନ୍ତ୍ରରେ ଏ ବାବଦରେ ଆମକୁ ଅଭୟବାଣୀ ଦେଇ କୁହାଯାଇଛି- “ତୁମେ ଡର ନାହିଁ, ତୁମେ ମରିବ ନାହିଁ, ମୁଁ ତୁମକୁ ନିରୋଗ କରିଦେବି। ଏ ସଂସାର ହେଉଛି ବିଧାତାଙ୍କର କାବ୍ୟ ଏବଂ ଏହା ଅଜର ଓ ଅମର।”

ପ୍ରଫେସର ଡକ୍ଟର ଗୋପାଳ ଚନ୍ଦ୍ର ନନ୍ଦ



from ଜୀବନଚର୍ଯ୍ୟା – Sambad https://ift.tt/3hXceFv

Post a Comment

0 Comments