କାର୍ତ୍ତିକବ୍ରତ ଓ ଆକାଶ ଦୀପ

କାର୍ତ୍ତିକ ପରି ମାସ ନାହିଁ କି ବିଷ୍ଣୁଙ୍କ ପରି ଦେବତା ନାହାନ୍ତି। ବିଭିନ୍ନ ପୁରାଣର ବର୍ଣ୍ଣନା ଅନୁସାରେ, ମନୁଷ୍ୟ ତାର ସମଗ୍ର ଜୀବନରେ ଯେତେ ପାପ କରିଥାଏ, ତାହା କାର୍ତ୍ତିକ ମାସରେ ସ୍ନାନ, ହବିଷ୍ୟାନ୍ନ ଭୋଜନ, ବିଷ୍ଣୁଙ୍କୁ ତୁଳସୀ ଅର୍ପଣ ଏବଂ ଆକାଶଦୀପ ଦାନରେ ନଷ୍ଟ ହୋଇଥାଏ।

ଦୀପ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ। ଏହା ସ୍ୱୟଂ ଜ୍ୟୋତିସ୍ୱରୂପ। ମହାଲକ୍ଷ୍ମୀ ଦୀପଲକ୍ଷ୍ମୀ ସ୍ୱରୂପିଣୀ। ଦୀପ ଅଜ୍ଞାନତା ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନରୂପକ ଆଲୋକ ଦେଇଥାଏ। ଜ୍ଞାନ ଉଦୟ ହେଲେ ପାପ ନଷ୍ଟ ହୋଇଯାଏ।

କାର୍ତ୍ତିକରେ ପ୍ରଦତ୍ତ ଦୀପକୁ ‘ଆକାଶଦୀପ’ କହିବା ଯଥାର୍ଥ। ପରମ୍ପରା ଅନୁସାରେ, ଏକ ଛିଦ୍ରୁଯୁକ୍ତ ହାଣ୍ଡିରେ କିଛି ବାଲି ଓ ତା’ ଉପରେ ଏକ ପ୍ରଜ୍ୱଳିତ ଦୀପ ରଖି, ତାର ଉପରିଭାଗକୁ ଏକ ପଲମରେ ଢାଙ୍କି, ତାହାକୁ ଏକ ସୁଉଚ୍ଚ ବାଉଁଶ ଦଣ୍ଡର ଅଗ୍ର ଭାଗରେ ବାନ୍ଧି ଦିଆଯାଏ। ଏହାକୁ ସାରା ମାସ ଜଳାଇ ରଖିବାକୁ ହୋଇଥାଏ।

ଏହାର କାରଣ ସ୍ୱରୂପ କୁହାଯାଇଛି, ସମଗ୍ର ବିଶ୍ୱରେ ରହିଛି ଚଉଦଟି ବ୍ରହ୍ମାଣ୍ଡ। ଉପରେ ସାତଟି ଓ ତଳେ ସାତଟି। ମଝିରେ ରହିଛି ଭୂଲୋକ; ଯାହା ମନୁଷ୍ୟମାନଙ୍କର ନିବାସ ସ୍ଥାନ। ଊର୍ଦ୍ଧ୍ୱଲୋକରେ ରହିଛି ପ୍ରେତଲୋକ, ଦେବଲୋକ, ଯମଲୋକ, ପିତୃଲୋକ ଓ ବିଷ୍ଣୁଲୋକ ଆଦି। ଏହି ଆକାଶଦୀପ ଆପାତତଃ, ଦେବତା, ପିତୃ, ଯମ, ବିଷ୍ଣୁ ଓ ରୁଦ୍ର ଆଦିଙ୍କର ଆଶୀର୍ବାଦ ତଥା ପ୍ରୀତିପାଇଁ ପ୍ରଜ୍ୱାଳନ କରାଯାଇଥାଏ।

ତେଣୁ ପ୍ରଥମେ ଏହି ଦୀପ ପ୍ରଜ୍ୱାଳନ ସମୟରେ ପ୍ରାର୍ଥନା କରାଯାଏ- ମୁଁ ସର୍ବରୂପ ଏବଂ ବିଶ୍ୱରୂପଧାରୀ ଭଗବାନ ଦାମୋଦରଙ୍କୁ ପ୍ରଣାମ କରି ଏହି ଆକାଶଦୀପ ପ୍ରଦାନ କରୁଛି; ଯାହା ଭଗବାନଙ୍କର ପରମପ୍ରିୟ ଅଟେ। ଏହା ପରେ କୁହାଯାଏ- ପିତୃପୁରୁଷଙ୍କୁ ପ୍ରଣାମ, ପ୍ରେତମାନଙ୍କୁ ପ୍ରଣାମ, ଧର୍ମସ୍ୱରୂପ ବିଷ୍ଣୁଙ୍କୁ ପ୍ରଣାମ, ଯମରାଜଙ୍କୁ ପ୍ରଣାମ ଏବଂ ଦୁର୍ଗମ ମାର୍ଗରେ ରକ୍ଷା କରୁଥିବା ଭଗବାନ ରୁଦ୍ରଙ୍କୁ ପ୍ରଣାମ। ମନ୍ତ୍ର ଜପ କରି ବା ଏହା ଉଚ୍ଚାରଣ କରି ଯେଉଁ ମନୁଷ୍ୟ ଆକାଶଦୀପ ଦାନ କରେ, ତାହାକୁ ଭଗବାନଙ୍କର ଆଶୀର୍ବାଦ ମିଳିବା ସହିତ ତାର ପିତୃପୁରୁଷ ନର୍କରେ ଥିଲେ ମଧ୍ୟ ପରମ ଗତି ଲାଭ କରନ୍ତି।

ଡକ୍ଟର ତୁଳସୀ ଓଝା

The post କାର୍ତ୍ତିକବ୍ରତ ଓ ଆକାଶ ଦୀପ first appeared on Sambad.



from ଜୀବନଚର୍ଯ୍ୟା – Sambad https://ift.tt/32khRsr

Post a Comment

0 Comments