ବୟସ୍କଲୋକଙ୍କ କ୍ଷେତ୍ରରେ କରୋନାର କିଛି ପ୍ରାଥମିକ ଲକ୍ଷଣ ନଥାଇ ମଧ୍ୟ ସେମାନଙ୍କର ରୋଗ ଶେଷ ଅବସ୍ଥାରେ ପହଞ୍ଚି ଯାଇଥାଏ। ସେମାନଙ୍କର ଫୁସ୍ଫୁସ୍, ଯକୃତ, ବୃକକ୍ ଓ ହୃତ୍ପିଣ୍ତ କରୋନା ସ˚କ୍ରମଣରେ ଶୀଘ୍ର ନଷ୍ଟ ହୋଇଯାଇଥାଏ। ଶରୀର ଅକ୍ସିଜେନ୍ ନପାଇ ତନ୍ତୁ ବା ଜୀବ କୋଷଗୁଡ଼ିକ ଦ୍ରୁତ ଗତିରେ ନଷ୍ଟ ହୋଇଯାଆନ୍ତି। ବହୁମୂତ୍ର ରୋଗଥିବା ବୟସ୍କଙ୍କଠାରେ କରୋନା ସ˚କ୍ରମଣର ଗତି ଅତ୍ୟନ୍ତ କ୍ଷୀପ୍ର ହୋଇଥାଏ। ସବୁବେଳେ ସେମାନଙ୍କୁ ଇନ୍ସୁଲିନ୍ ଦରକାର ହୋଇଥାଏ ଓ ଇନ୍ସୁଲିନ୍ ଜନିତ ପାର୍ଶ୍ବ ପ୍ରତିକ୍ରିୟା ଅଧିକ ପରିମାଣରେ ଦେଖା ଦେଇଥାଏ। ହୃଦ୍ଘାତ ଓ ଉଚ୍ଚ ରକ୍ତଚାପ ମଧ୍ୟ ବୟସ୍କ ଲୋକମାନଙ୍କର କରୋନା ସ˚କ୍ରମଣରେ ଗୁରୁତର ରୂପ ଧାରଣ କରିଥାଏ। ଶରୀରରେ ରକ୍ତଜମାଟ ବାନ୍ଧିବାର ପ୍ରକ୍ରିୟା ଅଧିକ ପରିମାଣରେ ଦେଖାଯାଏ। ତେଣୁ ଡି ଡାଇମର ନାମକ ଏକ ପରୀକ୍ଷାରୁ ଶରୀରରେ ଆସନ୍ନ ରକ୍ତଜମାଟ ବାନ୍ଧିବାର ପ୍ରକ୍ରିୟାର ପୂର୍ବାଭାଷା ମିଳିଥାଏ। କରୋନା ସ˚କ୍ରମଣ ଦ୍ବାରା ଫୁସ୍ଫୁସ୍ ଦ୍ବୟ ମୁଖ୍ୟତଃ ନଷ୍ଟ ହୋଇଯାଇଥାଏ। ଫାଇବ୍ରୋସିସ୍ ନାମକ ଏକ ପ୍ରକ୍ରିୟା ଫୁସ୍ଫୁସ୍ ଦ୍ବୟକୁ ସ˚ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥାଏ।
ତେଣୁ କରୋନା ପ୍ରତିରୋଧ କରିବାକୁ ବୟସ୍କ ଲୋକଙ୍କ ଠାରେ ବିଭିନ୍ନ ପ୍ରକାର ସତର୍କତାମୂଳକ ଉପଚାର ରହିଛି। ପ୍ରଥମେ ସେମାନଙ୍କୁ ଯଥା ସମ୍ଭବ ସଫାସୁତୁରା ରହିବାକୁ ପଡିବ। ହାତ, ଗୋଡ଼, ମୁହଁକୁ ସାବୁନ୍ରେ ଧୋଇବା ଆବଶ୍ୟକ। ଉଷୁମ ପାଣି ଓ ସାବୁନ୍ ବ୍ୟବହାର କରି ପ୍ରତ୍ୟେକ ଦିନ ଗାଧୋଇବା ଆବଶ୍ୟକ। କାନ, ନାକ, ଆଖି, ପାଟି ଭିତର ସଫାସୁତୁରା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଲୁଗାପଟା, ତକିଆ ଖୋଳ, ବିଛଣା, ଚାଦର ଇତ୍ୟାଦି ସଫାସୁତୁରା ରହିବା ଦରକାର। ସେହିଭଳି ବୟସ୍କ ଲୋକ ବ୍ୟବହାର କରୁଥିବା ପାଇଖାନା ଓ ଗାଧୁଆ ଘର ମଧ୍ୟ ପରିସ୍କାର ରଖିବା ଆବଶ୍ୟକ।
ଖାଦ୍ୟ ଓ ପାନୀୟ ସ˚କ୍ରାନ୍ତରେ ବୟସ୍କ ଲୋକମାନଙ୍କ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବା ଉଚିତ୍। ଅତିକମ୍ରେ ଦିନକୁ ଚାରି ଗ୍ଲାସ୍ ଉଷୁମ ପାଣି ପିଇବେ। ଏହାସାଙ୍ଗକୁ କ୍ଷୀର, ଦହିପାଣି, ଲେମ୍ବୁପାଣି, ଡାଲି ପାଣି ଓ ଉଷୁମ ପରିବାର ପାଣି ପିଇବେ। ଯଥେଷ୍ଟ ପରିମାରଣର ସବୁଜ ପରିବା ଓ ପ୍ରୋଟିନ ଜାତୀୟ ଖାଦ୍ୟ ବୟସ୍କ ଲୋକଙ୍କ ପାଇଁ ଅଧିକ ଦରକାର ହୋଇଥାଏ। ଭିଟାମିନ୍ ବି କମ୍ପ୍ଲେକ୍ସ, ଜିଙ୍କ୍, ଭିଟାମିନ୍ ସି’, ଲୌହ, ମାଗନେସିୟମ, କାଲସିୟମ ଇତ୍ୟାଦି ଶରୀରରେ ଥିବା ଭୂତାଣୁ ବିରୋଧରେ ଲଢିବା ପାଇଁ ଶକ୍ତି ଦେଇଥାଏ। ଏହିସବୁ ଭିଟାମିନ ମାଛ, ମା˚ସ ଓ ବାଦାମ ଜାତିର ଖାଦ୍ୟରେ ଯଥେଷ୍ଟ ପରିମାଣରେ ଥାଏ। ବୟସ୍କ ଲୋକମାନଙ୍କଠାରେ କରୋନା ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଅଧିକ ପରିମାଣର ଜିଙ୍କ ନେବାକୁ ପଡ଼ିଥାଏ। ଏହା ମଣିଷର ଜୀବକୋଷକୁ ଯାଇ ଭୂତାଣୁର ସ˚ଖ୍ୟା ବୃଦ୍ଧି ପ୍ରକ୍ରିୟାକୁ ପ୍ରତିରୋଧ କରିଥାଏ। ତେଣୁ ପ୍ରତ୍ୟେକ ପ୍ରାପ୍ତ ବୟସ୍କଙ୍କୁ କରୋନା ସମୟରେ ଅଧିକ ପରିମାଣର ଭିଟାମିନ୍ ସି, ଡି, ବି କମ୍ପ୍ଲେକ୍ସ ଓ ବିଭିନ୍ନ ପ୍ରକାରର ଆଣ୍ଟି ଅକ୍ସିଡାଣ୍ଟ ଖାଦ୍ୟ ଦେବା ଉଚିତ୍।
ଅଧିକ ସତର୍କତା ପାଇଁ ବୟସ୍କମାନଙ୍କୁ ଅଲଗା ଏକ ବାୟୁ ଚଳାଚଳ କରୁଥିବା, ପାଇଖାନା, ଗାଧୁଆ ଘର ସ˚ଲଗ୍ନ ଥିବା ଘରେ ରଖିଲେ ଭଲ। ଜ୍ବର, କାଶ, କଫ, ଛାତିରେ ଯନ୍ତ୍ରଣା ଅନୁଭବ କଲେ ସେମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ।।
ଜରାରୋଗ (ଜେରିଆଟ୍ରିକ) ବିଭାଗୀୟ ମୁଖ୍ୟ,
ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ
The post ସ୍ୱାସ୍ଥ୍ୟ ସମ୍ବାଦ : ବୟସ୍କଙ୍କ ପାଇଁ ସ୍ୱଚ୍ଛତା, ସନ୍ତୁଳିତ ଖାଦ୍ୟ-ପାନୀୟ ଓ ଭିଟାମିନ୍ ଗୁରୁତ୍ୱପୂର୍ଣ୍ଣ first appeared on Sambad.
from ଜୀବନଚର୍ଯ୍ୟା – Sambad https://ift.tt/2IcUlGQ
0 Comments