କରୋନା ସମୟରେ କେମିତି ନେବେ ଭିନ୍ନକ୍ଷମ ଶିଶୁଙ୍କ ଯତ୍ନ

କରୋନା ମହାମାରୀର ପ୍ରକୋପ ଶିଶୁମାନଙ୍କ ମାନସିକ, ଶାରୀରିକ ଓ ମନସ୍ତାତ୍ତ୍ବିକ ଅଭିବୃଦ୍ଧିର ପଥରୋଧ କରିଛି। ଲକ୍‌ଡାଉନ୍‌ ଓ ତା’ ପରବର୍ତ୍ତୀ ସମୟରେ ଆମେ ଆମର ଦୈନନ୍ଦିନ କାର୍ଯ୍ୟକୁ ଫେରିବା ପାଇଁ ଚେଷ୍ଟା କରୁଥିବା ବେଳେ ଆମ ପିଲାମାନେ ଏବେ ମଧ୍ୟ ଆବଦ୍ଧ କୋଠାରୀ ଭିତରୁ ବାହାରି ପାରୁନାହାନ୍ତି। ସେମାନଙ୍କ କାର୍ଯ୍ୟ କ୍ଷେତ୍ର ବିଦ୍ୟାଳୟ, ମନୋରଞ୍ଜନ ଏବଂ ସାଙ୍ଗସାଥୀମାନଙ୍କ ସହ ପ୍ରାକୃତିକ ପରିବେଶରେ ବିତାଉଥିବା ସମୟ ଏବେବି ସ୍ବଭାବିକ ହୋଇପାରୁନି। ଏବେ ବି ନିଜ ନିଜ ଘର ଓ ପରିବାରର ବ୍ୟକ୍ତିମାନଙ୍କ ସହ ସେମାନଙ୍କ ଦୈନନ୍ଦିନ ଜୀବନ ସୀମିତ ହୋଇ ରହିଛି। ଏସବୁର ସ୍ଥାନ ଏବେ ଅନ୍‌ଲାଇନ୍‌ ପାଠପଢା ନେଇ ସାରିଛି। ଏସବୁ ସମୟରେ ଅଧିକ ପ୍ରଭାବିତ ହେଉଛନ୍ତି ଭିନ୍ନକ୍ଷମ ଶିଶୁମାନେ।

କମ୍‌ ଶ୍ରବଣ, ଦୃଷ୍ଟି ଶକ୍ତି କମ ଥିବା ତଥା ମାନସିକ ଅନଗ୍ରସର ପିଲାମାନେ ମଧ୍ୟ ବହୁ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ତଥ୍ୟ ଅନୁସାରେ, ଭାରତରେ ୭.୮ ମିଲିୟନ ପିଲା (୦-୧୯ ବର୍ଷ) ଶାରୀରିକ ଅଥବା ମାନସିକସ୍ତରରେ ଭିନ୍ନକ୍ଷମ ଅଟନ୍ତି। ଏହି ଭିନ୍ନକ୍ଷମ ଏବଂ ବିଳମ୍ବିତ ବିକାଶ ଶିଶୁମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ କ୍ଷେତ୍ରରେ ପରିପୂର୍ଣ୍ଣ ବିକାଶ ପାଇଁ ଏମାନଙ୍କୁ ବିଭିନ୍ନ ପ୍ରକାରର ଥେରାପି ଯଥା ଫିଜିଓଥେରାପି, ଅକୁପେସନାଲ ଥେରାପି, ସ୍ପିଚ୍ ଥେରାପି, ସ୍ପେଶାଲ ଏଜୁକେସନର ଆବଶ୍ୟକତା ରହିଥାଏ। ଏହି ପିଲାମାନେ ଅସାମାନ୍ୟ ହୋଇଥିବାରୁ ଏବଂ ଅନେକ କ୍ଷେତ୍ରରେ ଏମାନଙ୍କ ଯତ୍ନ ନେବା ପାଇଁ ଜଣେ ସଦସ୍ୟ ସବୁ ସମୟରେ ଆବଶ୍ୟକ ହୁଏ। କରୋନା ମହାମାରୀ ସମୟରେ ସାମାଜିକ ଦୂରତା, ଅବଲମ୍ବନ କାରଣରୁ ବହୁ ଥେରାପି କେନ୍ଦ୍ର, ଡେ କେୟାର ସେଣ୍ଟର ମଧ୍ୟ ବନ୍ଦ ରହୁଛି। ଏବେ ଏହି ଭିନ୍ନକ୍ଷମ ପିଲାମାନେ ଘରେ ବନ୍ଦ। ଏମାନଙ୍କର ଏକମାତ୍ର ସହାୟ ହେଉଛନ୍ତି ପରିବାରର ସଦସ୍ୟ। ପରିବାର ସଦସ୍ୟ ଓ ବାପା, ମା’ଙ୍କର ଯେଉଁ ଚିନ୍ତା ବଢିଯାଏ ତାହା ପିଲାମାନଙ୍କ ମନସ୍ତାତ୍ତ୍ବିକ ସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। କିଛି କ୍ଷେତ୍ରରେ ଦେଖାଯାଉଛି ଯେ, ଯଦି ଶିଶୁମାନଙ୍କର ପ୍ରାଥମିକ ଯତ୍ନ ପ୍ରଦାନ କରୁଥିବା ବ୍ୟକ୍ତି କରୋନା ଅଥବା ଅନ୍ୟରୋଗରେ ପୀଡିତ ହେଉଛି ତେବେ ଏମାନଙ୍କ କ୍ଷେତ୍ରରେ ଏହା ବଡ ସମସ୍ୟା ସୃଷ୍ଟି କରୁଛି। ଭିନ୍ନକ୍ଷମ ଶିଶୁମାନଙ୍କ କ୍ଷେତ୍ରରେ ସେମାନଙ୍କ ଖାଇବା, ଶୋଇବା ଓ ବିଭିନ୍ନ କାର୍ଯ୍ୟ ସବୁ ପ୍ରଭାବିତ ହେବା ସହ ପ୍ରକ୍ରିୟା ବିଳମ୍ବିତ ହେଉଛି। ଛୋଟେ ପିଲା ବହୁ ସମୟରେ ପାଟିରେ ହାତ ପୁରାଇ ଥାଆନ୍ତି। ସବୁ ଜିନିଷକୁ ଛୁଇଁ ଥାନ୍ତି। ପାଟିରୁ ଲାଳ ମଧ୍ୟ ବାହାରୁଥାଏ।

ସେଥିପାଇଁ ଘରର ସବୁ ସ୍ଥାନ, ବ୍ୟବହୃତ ଦ୍ରବ୍ୟକୁ ପରିସ୍କାର ରଖିବା ଅତ୍ୟନ୍ତ ଆବଶ୍ୟକ। ପରିବାରର ପ୍ରତି ସଦସ୍ୟ ବାହାରୁ ଘରକୁ ଆସିବା ପରେ ଭଲରେ ହାତ ଗୋଡ ଧୋଇ, ସାନିଟାଇଜ୍‌ କରିବା ପରେ ପିଲାଙ୍କ ପାଖକୁ ଯାଆନ୍ତୁ। ଭିନ୍ନକ୍ଷମ ଶିଶୁମାନଙ୍କୁ କିପରି ଘରେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ବ ନଦେଲେ ‌ସେମାନଙ୍କ ବିକାଶ ପ୍ରଭାବିତ ହେବ। ଶିଶୁର ମାଂସପେଶୀକୁ ସବଳ କରିବା ପାଇଁ ବୟସାନୁସାରେ ବିକାଶ ହେବା ପାଇଁ ଘରେ ଥିବା ଭାରି ବସ୍ତୁକୁ ଠେଲିବା ବା ଟାଣିବା, ଗୁରୁଣ୍ଡିବା ବା ଆଣ୍ଠେଇବା, ଖଟ ଉପରେ ଡେଇଁବା, ଦଉଡିର ଦୁଇପାର୍ଶ୍ବକୁ ଟାଣିବା ପରି ଖେଳ ଖେଳିବା ଆଦି କାର୍ଯ୍ୟରେ ପିଲାଙ୍କୁ ବ୍ୟସ୍ତ ରଖନ୍ତୁ। ଏହି ସମୟରେ ଧ୍ୟାନ ଦିଅନ୍ତୁ, ଯେପରି ପିଲାଟିକୁ କୌଣସି ଆଘାତ ନଲାଗେ। ନିଜ ପିଲାକୁ ବୋତଲର ଠିପି ଖୋଲିବା, ବନ୍ଦ କରିବା, ମାଳି ଗୁନ୍ଥିବା, କାଦୁଅ ବା ଅଟାରେ ବିଭିନ୍ନ ବସ୍ତୁ ତିଆରି କରିବା, ଓଦା ବାଲି ଉପରେ ଅକ୍ଷର ଲେଖିବା, କାଗଜକୁ ବିଭିନ୍ନ ଆକାରରେ ଭାଙ୍ଗିବା, ରଙ୍ଗ କରିବା ପାଇଁ ଉତ୍ସାହିତ କଲେ ଶରୀରର ଛୋଟ ମାଂସପେଶୀ ସବଳ ହେବା ସହ ସୂକ୍ଷ୍ମ କାର୍ଯ୍ୟ ଶୈଳୀର ବିକାଶ ହୋଇଥାଏ। ଶିଶୁର ମାନସିକ ଓ ସ୍ମୃତି ଶକ୍ତିର ବିକାଶ ପାଇଁ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଚିହ୍ନାଇବା, ଅକ୍ଷର ମ୍ୟାଚ୍‌ କରିବା, ଘରର ପ୍ରତିଟି ବ୍ୟକ୍ତିର ନାଁ କହିବା ସହ ଚିହ୍ନିବା, ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁମାନଙ୍କ ନାଁ କହିବା, ଘର ଭିତରେ ପିଲାର ବୟସାନୁସାରେ ଖେଳ ଖେଳାଇବା ଇତ୍ୟାଦି କାର୍ଯ୍ୟରେ ପିଲାକୁ ନିୟୋଜିତ କରିବା ଜରୁରୀ।

ଘରେ ଥିବା ସମସ୍ତ ସଦସ୍ୟ ଭିନ୍ନକ୍ଷମ ପିଲାଙ୍କ ସହିତ ଆଖିରେ ଆଖି ମିଶାଇ କଥା ହୁଅନ୍ତୁ। ସେମାନଙ୍କ ସହିତ ଖେଳନ୍ତୁ। ଧ୍ୟାନ ଓ ଏକାଗ୍ରତା ବଢାଇବା ପାଇଁ ନିଜ ମୁଣ୍ଡରେ ଲାଲ ରଙ୍ଗର ବିନ୍ଦି ଲଗାଇ ପିଲାଙ୍କୁ ଛୁଇଁବା ଓ କାଢିବା ପାଇଁ କହନ୍ତୁ। ସେମାନଙ୍କୁ ବଡ ପାଟିରେ ତାଗିଦ୍‌ କରନ୍ତୁ ନାହିଁ। ପାଟିରୁ ଲାଳ ଗଡୁଥିବା ବା ଗଡାଇବା ପରି ସମସ୍ୟା ଲାଗି ରହିଥିବା ଶିଶୁମାନଙ୍କୁ ପାଟିର ବ୍ୟାୟାମ ଯଥା ବେଲୁନ ଫୁଙ୍କିବା, ନଳୀରେ ପାଣି ଶୋଷି ପିଇବା, ହୁଇସିଲ୍‌ ବଜାଇବା ମହାମବତୀକୁ ଫୁଙ୍କି ଲିଭାଇବା, ଜିଭକୁ ପାଟି ଭିତରେ ତଳ ଉପରେ କରିବା ଏବଂ ଖାଦ୍ୟକୁ ଚୋବାଇ ଖାଇବା ପାଇଁ ପ୍ରୋତ୍ସାହିତ କରନ୍ତୁ। ଶିଶୁକୁ ବିଭିନ୍ନ ପ୍ରକାରର ଶଦ୍ଦ ଯଥା ଘଣ୍ଟି ବଜାଇବା, ଘରର ଲୋକମାନଙ୍କର କଣ୍ଠ ସ୍ବର ଶୁଣାଇବା, ଗୀତ ଶୁଣାଇବା ଓ ତାଙ୍କୁ ଶଦ୍ଦ ଶୁଣି କହିବା ପାଇଁ ଉତ୍ସାହିତ କରନ୍ତୁ। ଶ୍ରବଣହୀନ ପିଲାମାନେ ନିୟମିତ ଶ୍ରବଣଯନ୍ତ୍ର ବ୍ୟବହାର କରନ୍ତୁ। ନିୟମିତ ବ୍ୟବଧାନରେ ଶ୍ରବଣଯନ୍ତ୍ର ଠିକ୍‌ କାମ କରୁଛି ନା ନାହିଁ, ଅଭିଭାବକମାନେ ତାହା ପରୀକ୍ଷା କରାଇନିଅନ୍ତୁ। ପିଲାଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ ପ୍ରୋତ୍ସାହିତ କରାନ୍ତୁ। ନିଜର ବ୍ୟସ୍ତବହୁଳ ଜୀବନ ଓ ଦୁଶ୍ଚିନ୍ତା ଯେମିତି ସେମାନଙ୍କ ବିକାଶରେ ବାଧା ସୃଷ୍ଟି ନକରେ, ସେଥିପାଇଁ ସଜାଗ ରହନ୍ତୁ।

The post କରୋନା ସମୟରେ କେମିତି ନେବେ ଭିନ୍ନକ୍ଷମ ଶିଶୁଙ୍କ ଯତ୍ନ first appeared on Sambad.



from ଜୀବନଚର୍ଯ୍ୟା – Sambad https://ift.tt/3fY2uLT

Post a Comment

0 Comments