ଶୀତବସ୍ତ୍ରକୁ ଖରାରେ ପକାନ୍ତୁ, ହାତ ଧୋଇବାକୁ ଭୁଲନ୍ତୁ ନାହିଁ

ଶୀତଦିନରେ କେମିତି ସୁରକ୍ଷିତ ରହିବେ କୋଭିଡ୍‌ଠାରୁ ତା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ବାନ। କୋଭିଡ୍‌ ହେଉଛି ଏକ ଶ୍ବାସଜନିତ ରୋଗ, ଯାହା ସାରା ବିଶ୍ବକୁ ନୟାନ୍ତ କରିଦେଲାଣି। ଏବେ ପୁଣି କରୋନା ପାଇଁ ବିଭିନ୍ନ ରାଷ୍ଟ୍ରରେ ୨ୟ ଥର ପାଇଁ ଲକ୍‌ଡାଉନ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୀତ ବଢିବା ସହିତ କରୋନା ପୁଣି ଥରେ ଲେଉଟୁଛି।
ଜଣଙ୍କଠାରୁ ଅନ୍ୟକୁ ସଂକ୍ରମିତ କରେ କିପରି?
ସତର୍କ ନରହିଲେ ଜଣେ ବ୍ୟକ୍ତିଠାରୁ ଅନ୍ୟଜଣେ ବ୍ୟକ୍ତିଙ୍କୁ ଅତି ସହଜରେ କରୋନା ସଂକ୍ରମିତ ହୋଇପାରେ। ସଂକ୍ରମିତ ରୋଗୀ ସହ ବିନା ମାସ୍କରେ ପାଖରେ ବସି କଥାବାର୍ତ୍ତା କରିବା, ସଂକ୍ରମିତ ରୋଗୀର କାଶ, ଛେପ, ଛିଙ୍କ ଓ କଫରୁ ମଧ୍ୟ ଏହା ବ୍ୟାପିଥାଏ। ସଂକ୍ରମିତ ରୋଗୀ ବ୍ୟବହାର କରୁଥିବା ବାଥ୍‌ରୁମରୁ, ବସିଥିବା ସ୍ଥାନ, ସେ ଛୁଇଁଥିବା ସାମଗ୍ରୀ, କବାଟର ହ୍ୟାଣ୍ଡେଲ, ଲିଫ୍ଟ୍‌ ସୁଇଚ୍‌, ସିଡିର ରେଲିଂ ଇତ୍ୟାଦିରୁ ଜଣେ ସୁସ୍ଥ ଲୋକ ସହଜରେ କରୋନା ସଂକ୍ରମିତ ହୋଇଥାନ୍ତି।
ଶୀତଦିନରେ କଣ ଅସୁବିଧା ହୁଏ?
ଶୀତଦିନେ ବିଭିନ୍ନ ପ୍ରକାରର ଭାଇରାଲ ରୋଗ ଅଧିକ ଦେଖାଯାଇଥାଏ। ଯେଉଁଥିପାଇଁ ସେମାନଙ୍କୁ ହସ୍ପିଟାଲ ଅଧିକ ଥର ଯିବାକୁ ପଡିଥାଏ। ଏହା କରୋନା ସଂକ୍ରମଣର ଆଶଙ୍କାକୁ ବଢ଼ାଇଥାଏ। ଶୀତଦିନେ ହାତ ଧୋଇବା ସାଧାରଣତଃ ସମସ୍ତେ କମ୍‌ କରି ଦେଇଥାନ୍ତି। ବିଭିନ୍ନ ଶୀତବସ୍ତ୍ର ଅଧିକ ପିନ୍ଧିଥାନ୍ତି, ଯେଉଁଥିରେ କୌଣସି ସ୍ଥାନରୁ କରୋନା ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ। ବ୍ୟାୟାମ ମଧ୍ୟ କମିଯାଏ, ତେଣୁ ଏହି ସବୁ କାରଣରୁ କରୋନାର ସଂକ୍ରମଣ ଶୀତ ଦିନରେ ଅଧିକ ହେବାର ଆଶଙ୍କା ଦେଖାଦେଇଥାଏ।
କେମିତି ରକ୍ଷା ପାଇବେ?
ସାନିଟାଇଜର ଓ ମାସ୍କ ବାଧ୍ୟତାମୂଳକ। ତା’ ସହିତ କାଶ, କଫ ଥିବା ଯେକୌଣସି ରୋଗୀଙ୍କ ପାଖରୁ ଦୂରେଇ ରୁହନ୍ତୁ। ଦରକାର ନଥିଲେ ହସ୍ପିଟାଲ ଯାଆନ୍ତୁ ନାହିଁ। ଯଦି ପାଣି ଥଣ୍ଡା ଲାଗୁଛି ତେବେ ଉଷୁମ ପାଣି ହେଉ ପଛେ ହାତ ବାରମ୍ବାର ଧୁଅନ୍ତୁ। ଗରମ ବସ୍ତ୍ର ପିନ୍ଧିଥିଲେ ବି ସର୍ବସାଧାରଣ ସ୍ଥାନରେ କୌଣସି ସାମଗ୍ରୀକୁ ଛୁଅଁନ୍ତୁ ନାହିଁ, ଭିଡ ସ୍ଥାନକୁ ଯାଆନ୍ତୁ ନାହିଁ। ଶୀତବସ୍ତ୍ରଗୁଡିକ ନିୟମିତ ଖରାରେ ଦିଅନ୍ତୁ ବା ଡ୍ରାଇୱାସ୍‌ କରାନ୍ତୁ। ଶୀତରୁ ରକ୍ଷାପାଇଁ ଅଧିକ ଲୋକ ଏକାଠି ହୋଇ ନିଆଁ ସେକ ନେଇଥାନ୍ତି, ସେଭଳି ସ୍ଥାନରୁ ନିଜକୁ ଦୂରେଇ ରଖନ୍ତୁ। ବାହାଘର, ବ୍ରତଘର, ଶ୍ରାଦ୍ଧଭୋଜିଗୁଡିକୁ ୧୦ବର୍ଷରୁ କମ୍‌ ଓ ୬୫ବର୍ଷରୁ ଅଧିକ ବ୍ୟକ୍ତି ଆଦୌ ଯାଆନ୍ତୁ ନାହିଁ। ନିୟମିତ ବ୍ୟାୟାମ କରନ୍ତୁ ଓ ଠିକ୍‌ ସମୟରେ ସୁଷମ ଖାଦ୍ୟ ଖାଆନ୍ତୁ। ଯାହାର କୌଣସି ପୁରୁଣା ରୋଗ ରହିଛି ସେମାନେ ନିୟମିତ ଔଷଧ ବ୍ୟବହାର କରନ୍ତୁ।
ଶୀତଦିନେ କରୋନା ବଢ଼ିବାର ଆଶଙ୍କା ଯଥେଷ୍ଟ ଅଧିକ। ତେଣୁ ୟୁରୋପର ବହୁ ଦେଶରେ ଏବେ କରୋନାର ପ୍ରକୋପ ଦେଖାଦେଲାଣି। ଭାରତ ଭଳି ଏତେ ବଡ଼ ଦେଶ ଯେଉଁଠି ଲୋକସଂଖ୍ୟା ବହୁତ ଅଧିକ, ସେଭଳି କ୍ଷେତ୍ରରେ ୨ୟ କରୋନା ସଂକ୍ରମଣ ହେବା ବିପଦଜନକ। ତେଣୁ କ‌େରୋନା ସଂକ୍ରମିତଙ୍କ ସଂଖ୍ୟା କମିବାର ଅର୍ଥ ନୁହେଁ କରୋନା ଆମଠାରୁ ଦୂରେଇଗଲା। ତେଣୁ ଅଯଥା ଆତ୍ମବିଶ୍ବାସ ନକରି ବରଂ ସତର୍କତା ଅବଲମ୍ବନ କରି ଚଳିବା ଜରୁରୀ। ସବୁ ଜୀବନ ବହୁ ମୂଲ୍ୟବାନ। ନିଜେ ସୁରକ୍ଷିତ ରହିବା ସହିତ ପରିବାରକୁ ସୁରକ୍ଷିତ ରଖନ୍ତୁ।

The post ଶୀତବସ୍ତ୍ରକୁ ଖରାରେ ପକାନ୍ତୁ, ହାତ ଧୋଇବାକୁ ଭୁଲନ୍ତୁ ନାହିଁ first appeared on Sambad.



from ଜୀବନଚର୍ଯ୍ୟା – Sambad https://ift.tt/2KPaUtI

Post a Comment

0 Comments