ସମଗ୍ର ବିଶ୍ବରେ ହୃଦ୍ରୋଗ ବଢି ଚାଲିଥିବାବେଳେ ଏହାର ମୁଖ୍ୟ କାରଣ ଭାବେ ଅନେକ କୋଲେଷ୍ଟେରଲକୁ ଧରି ନେଇଥା’ନ୍ତି। କିନ୍ତୁ ସମେସ୍ତ ଜାଣି ରଖିବା ଉଚିତ ଯେ ମଣିଷ ଶରୀରର ଅନେକ ଅପରିହାର୍ଯ୍ୟ ପ୍ରକ୍ରିୟା କୋଲେଷ୍ଟେରଲ ବିନା ଅସମ୍ଭବ। ଶରୀରର ପ୍ରତ୍ୟେକ ଜୀବକୋଷର ବାହ୍ୟ ଆବରଣର ଗଠନ ଓ ଠିକ ସଂଚାଳନ ପାଇଁ ଏହା ଜରୁରୀ। ଏହାଛଡ଼ା ଆହୁରି ଅନେକ ହରମୋନ୍ ଯାହା ଆମ ଶରୀରର ସୁପରିଚାଳନା ପାଇଁ ଅନିବାର୍ଯ୍ୟ, ତାହା କୋଲେଷ୍ଟେରଲରୁ ପ୍ରସ୍ତୁତ ହୋଇଥାଏ। ଗବେଷଣାରୁ ପ୍ରମାଣିତ ହୋଇଛି ଯେ ଖାଦ୍ୟର କୋଲେଷ୍ଟେରଲ ଓ ରକ୍ତରେ କୋଲେଷ୍ଟେରଲ ସିଧାସିଧି ସଂପର୍କିତ ନୁହନ୍ତି। ଏହାର ଅର୍ଥ ଖାଦ୍ୟରେ ଅଧିକ କୋଲେଷ୍ଟେରଲ ଖାଇଲେ ନିଶ୍ଚିତ ଭାବେ ରକ୍ତରେ ଯେ କୋଲେଷ୍ଟେରଲ ବଢ଼ିବ, ତାହା ନୁହେଁ। ଖାଦ୍ୟରେ ଆଦୌ କୋଲେଷ୍ଟେରଲ ନଖାଇଲେ ରକ୍ତରେ କୋଲେଷ୍ଟେରଲ କମ୍ ରହିବ, ତାହା ବି ନିଶ୍ଚିତ ନୁହେଁ। ଏହାର ମୁଖ୍ୟ କାରଣ ହେଉଛି ଆମ ଶରୀରର ଲିଭର ବା ଯକୃତ। ଆମ ରକ୍ତରେ ଥିବା କୋଲେଷ୍ଟେରଲର ମାତ୍ରା ହିଁ ଶରୀରରେ ବିଭିନ୍ନ ରୋଗର କାରଣ ହୋଇପାରେ। ସାଧାରଣରେ ଲିପିଡ ପ୍ରୋଫାଇଲ ପରୀକ୍ଷା ଦ୍ବାରା ଏହାର ପରିମାଣକୁ ନିର୍ଦ୍ଧାରଣ କରାଯାଇଥାଏ। ଆମ ରକ୍ତରେ ଥିବା କୋଲେଷ୍ଟେରଲର ପରିମାଣ ମୁଖ୍ୟତଃ ଦୁଇଟି ସ୍ରୋତ ଦ୍ବାରା ନିର୍ଦ୍ଧାରିତ ହୋଇଥାଏ।
ଗୋଟିଏ ସ୍ରୋତ ହେଉଛି ଖାଦ୍ୟରେ ଥିବା କୋଲେଷ୍ଟେରଲ ଯାହା ଆମ ଖାଦ୍ୟନଳୀରେ ହଜମ ହୋଇ ରକ୍ତକୁ ଆସିଥାଏ ଏବଂ ଆଉ ଗୋଟିଏ ହେଉଛି ଆମ ଶରୀର ଭିତରେ ଲିଭର୍ରେ ପ୍ରସ୍ତୁତ ହେଉଥିବା ଅଂଶ ଯାହା ମଧ୍ୟ ରକ୍ତକୁ ଆସିଥାଏ। ପ୍ରକୃତି ଲିଭରକୁ ଏଭଳି କ୍ଷମତା ଦେଇଛି ଯେ, ଆମ ଖାଦ୍ୟରେ ଅଧିକ କୋଲେଷ୍ଟେରଲ ରହିଲେ ଏହା ଆପେ ଆପେ ଶରୀର ଭିତରେ ପ୍ରସ୍ତୁତ ହେଉଥିବା କୋଲେଷ୍ଟେରଲର ପରିମାଣକୁ କମ୍ କରିଦେଇଥାଏ। ତେଣୁ ଅଧିକ ଅଣ୍ଡା ଖାଇଲେ ଯେ ରକ୍ତରେ କୋଲେଷ୍ଟେରଲ ବଢ଼ିଯିବ, ଏହି ଭୟ ସଂପୂର୍ଣ୍ଣ ଭାବେ ସତ୍ୟ ନୁହେଁ। ଆମ ରକ୍ତରେ କୋଲେଷ୍ଟେରଲ ବିଭିନ୍ନ କିସମର ଦ୍ରବୀଭୂତ ଆକାରରେ ରହିଥାଏ। ତା ମଧ୍ୟରୁ ଏଲ୍ଡିଏଲ ଓ ଏଚ୍ଡିଏଲ ଦୁଇଟି ମୁଖ୍ୟ ପ୍ରକାର। କିନ୍ତୁ ଶରୀର ତଥା ରୋଗ ଦୃଷ୍ଟିକୋଣରୁ ଏହି ଦୁଇ ପ୍ରକାର କୋଲେଷ୍ଟେରଲ ସଂପୂର୍ଣ୍ଣ ବିପରିତ ଅଭିମୁଖୀ। ଏଲ୍ଡିଏଲ୍ର ମାତ୍ରା ଶରୀରରେ ବୃଦ୍ଧି ପାଇଲେ ହୃଦ୍ଘାତ, ମସ୍ତିଷ୍କଘାତ ତଥା ଅନ୍ୟ ରୋଗ ହେବାର ଆଶଙ୍କା ବହୁଗୁଣରେ ବଢ଼ିଯାଏ। କିନ୍ତୁ ଏଚ୍ଡିଏଲ୍ର ମାତ୍ରା ଶରୀରରେ ବୃଦ୍ଧି ପାଇଲେ ତାହା ହୃଦ୍ଘାତ ବିରୋଧରେ ଶରୀରର ପ୍ରତିରୋଧକ ବ୍ୟବସ୍ଥା ଭଳି କାମ କରିଥାଏ। ଆମ ଶରୀରରେ ଏଲ୍ଡିଏଲ୍ର ମାତ୍ରା କମାଇବା ପାଇଁ ଯଦିଓ ବହୁତ ପ୍ରକାର ଔଷଧ ଉପଲବ୍ଧ, କିନ୍ତୁ ଏଚଡିଏଲ୍ର ମାତ୍ରା ବଢ଼ାଇବା ପାଇଁ ଏପର୍ଯ୍ୟନ୍ତ କୌଣସି ସଫଳ ଔଷଧ ଉଦ୍ଭାବନ ହୋଇପାରିନାହିଁ। ନିୟମିତ ଶାରୀରିକ ପରିଶ୍ରମ କରିବା ଦ୍ବାରା ହିଁ ଏହାର ମାତ୍ରା କିଛି ପରିମାଣରେ ବଢ଼ିବାରେ ସହାୟକ ହୋଇଥାଏ। ତମାଖୁ ଜାତୀୟ ପଦାର୍ଥ ସେବନ କଲେ ବା ଧୂମପାନ କଲେ ରକ୍ତରେ ଏହାର ମାତ୍ରା କମିଯିବା ବୈଜ୍ଞାନିକ ତଥ୍ୟ ଦ୍ବାରା ପ୍ରମାଣିତ ହୋଇସାରିଛି। ତେଣୁ ଯେତେବେଳେ କୌଣସି ବ୍ୟକ୍ତି ନିଜର ଲିପିଡ୍ ପ୍ରୋଫାଇଲ ପରୀକ୍ଷା କରନ୍ତି, ସେତେବେଳେ ସାମଗ୍ରୀକ ଭାବେ କୋଲେଷ୍ଟେରଲର ପରିମାଣକୁ ଦେଖି ଖୁସି ବା ଚିନ୍ତିତ ହେବାର ଆବଶ୍ୟକତା ନାହିଁ।
ଆସିଷ୍ଟାଣ୍ଟ୍ ପ୍ରଫେସର, ହୃଦ୍ରୋଗ ବିଭାଗ
ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ
The post କେମିତି କରିବେ କୋଲେଷ୍ଟେରଲ ନିୟନ୍ତ୍ରଣ? first appeared on Sambad.
from ଜୀବନଚର୍ଯ୍ୟା – Sambad https://ift.tt/2M1pzCq
0 Comments