![](https://sambad.in/wp-content/uploads/2020/12/fh54fhs47f98h7sf98hs4h56fs4h6f5s456fsh4hfdsh.jpg)
ଆଖିଧରା ବର୍ଷର ବହୁତ ସମୟରେ ଦେଖାଦେଇଥାଏ। ଯେମିତି ବର୍ଷାଋତୁ, ଶୀତଋତୁ, ଗ୍ରୀଷ୍ମଋତୁ ଆରମ୍ଭ ଇତ୍ୟାଦି। କରୋନା ବି ଗୋଟିଏ ଭୂତାଣୁଜନିତ ରୋଗ। ଏହା ଆମେ ସମସ୍ତେ ଜାଣିଛେ। ତେଣୁ ଏହି କରୋନା ଭୂତାଣୁ ମଧ୍ୟ ଅନେକ ଲୋକଙ୍କଠାରେ ଆଖିଧରା ରୋଗ ଭାବରେ ଦେଖାଦେଉଛି। ଏଥିରେ ଆଖି ନାଲିପଡ଼ିବା, ଫୁଲିଯିବା, ପାଣି ବାହାରିବା ଇତ୍ୟାଦି ଲକ୍ଷଣ ଦେଖାଯାଉଛି। ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଦେଖାଯାଉଛି ଯେ, ସେମାନଙ୍କର ଗୋଟିଏ ଆଖି ଧରୁଛି। ଜ୍ବର, କାଶ, ଥଣ୍ଡା ଇତ୍ୟାଦି ଅନ୍ୟାନ୍ୟ ଲକ୍ଷଣ ନଥାଇ ମଧ୍ୟ, କେବଳ ଆଖିଧରା ପାଇଁ ବି କରୋନା ହୋଇପାରେ। ଆଖିର ଲୁହ ଏହି ରୋଗୀଙ୍କର ବା ଅନ୍ୟ କରୋନା ସଂକ୍ରମିତ ରୋଗୀଙ୍କର ଆଖିର ଲୁହ ଯଦି ଅନ୍ୟ ସୁସ୍ଥ ଲୋକଙ୍କର ଆଖି, ନାକ ବା ମୁହଁ ଇତ୍ୟାଦି ସଂସ୍ପର୍ଶରେ ଆସେ, ତେବେ ସେଭଳି କ୍ଷେତ୍ରରେ କରୋନା ବ୍ୟାପିବାର ଅଧିକ ଆଶଙ୍କା ରହିଥାଏ।
କରୋନା ମହାମାରୀ ସମୟରେ ଯଦି ଆଖି ନାଲି ପଡୁଛି, ପାଣି ବାହାରୁଛି, ତା’ହେଲେ ସଙ୍ଗେ ସଙ୍ଗେ ଚକ୍ଷୁ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ। ଅନ୍ୟମାନଙ୍କଠାରୁ ଦୂରେଇ ରୁହନ୍ତୁ। ନିଜେ ବ୍ୟବହାର କରୁଥିବା ରୁମାଲ୍, ତକିଆ ଇତ୍ୟାଦି ଅନ୍ୟ ସୁସ୍ଥ ଲୋକଙ୍କଠାରୁ ଦୂରେଇ ରଖନ୍ତୁ। ସତର୍କ ରହିଲେ ରୋଗ ବ୍ୟାପିବ ନାହିଁ, ନଚେତ୍ ଏହା ଚିନ୍ତା ବଢ଼ାଇବ। ତେଣୁ, କରୋନା ସମୟରେ ସାମାନ୍ୟ ସତର୍କତା ଅବଲମ୍ବନ କରିବ। ବାରମ୍ବାର ହାତ ଧୋଇବା, ଆଖିରେ ହାତ ନ ମାରିବା ଆଦି ସତର୍କତାକୁ ମାନି ଚଳିଲେ ଆମେ ବହୁମାତ୍ରାରେ ବିପଦମୁକ୍ତ ରହିପାରିବା। ଅନ୍ୟପଟେ ଯେଉଁମାନଙ୍କର ମୋତିଆବିନ୍ଦୁ, ଡାଇବେଟିସ୍ ରେଟିନୋପାଥି, କଳାମୋତିଆ ଇତ୍ୟାଦି ରୋଗ ରହିଛି ସେମାନେ ଦୀର୍ଘମାସ ହେଲା କରୋନା କାରଣରୁ ନିୟମିତ ଚିକିତ୍ସା ପାଇଁ ଆସିପାରୁ ନାହାନ୍ତି। ଯା’ଫଳରେ ସେମାନଙ୍କର ରୋଗର ମାତ୍ରା ବଢୁଛି। ଏପରିକି ଅନେକ ଉପଯୁକ୍ତ ଚିକିତ୍ସା ନପାଇ ଦୃଷ୍ଟିଶକ୍ତି ହରାଇବା ଆଡ଼କୁ ଯାଉଛନ୍ତି। ଅନେକ ମୋତିଆବିନ୍ଦୁ ରୋଗୀଙ୍କର ଅସ୍ତ୍ରୋପଚାର ହୋଇପାରୁନି। ଫଳରେ ସେଗୁଡ଼ିକ ପାକଳ ହୋଇ ଫାଟିଯିବା ଦ୍ବାରା ଅନେକ ଲୋକ ଦୃଷ୍ଟିଶକ୍ତି ହରାଇ ବସୁଥିବା ନଜରକୁ ଆସୁଛି। ତେଣୁ କରୋନା ସମୟରେ ବିଭିନ୍ନ ଚକ୍ଷୁ ରୋଗରେ ଆକ୍ରାନ୍ତ ଥିବା ପୁରୁଣା ଚକ୍ଷୁ ରୋଗୀମାନେ ଅଧିକ ସତର୍କତା ଅବଲମ୍ବନ କରିବା ସହିତ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶରେ ରହିବା ଜରୁରୀ। ନଚେତ୍ ରୋଗ ବଢ଼ିଯିବାର ଆଶଙ୍କା ରହିଛି।
ଚକ୍ଷୁରୋଗ ବିଭାଗ ମୁଖ୍ୟ,
ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ, କଟକ
The post ଆଖିଧରା ବି କରୋନାର ଲକ୍ଷଣ first appeared on Sambad.
from ଜୀବନଚର୍ଯ୍ୟା – Sambad https://ift.tt/3rvwzrF
0 Comments