‘ପ୍ରଥମାଷ୍ଟମୀ’ର ତତ୍ତ୍ୱ ଓ ତାତ୍ପର୍ଯ୍ୟ

ମାର୍ଗଶିର କୃଷ୍ଣ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏହିଦିନ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କୁ ଏବଂ ରତ୍ନସିଂହାସନର ଅନ୍ୟ ବିଗ୍ରହମାନଙ୍କୁ ନୂତନ ବସ୍ତ୍ର ଲାଗି କରାଯାଇଥାଏ। କେନ୍ଦ୍ରାପଡ଼ାର ଶ୍ରୀବଳଦେବଜିଉ ମନ୍ଦିରରେ ମଧ୍ୟ ବଡ଼ଠାକୁର ବଳଭଦ୍ର ଏହିଦିନ ନବବସ୍ତ୍ର ଲାଗି ହୋଇଥାଆନ୍ତି। ସେଦିନ ତାଙ୍କର ଅଭିଷେକ ବେଶ କରାଯାଏ। କିନ୍ତୁ ମୂଳତଃ ଏହା ଭୁବନେଶ୍ୱରର ଶ୍ରୀଲିଙ୍ଗରାଜଙ୍କର ଏକ ମୁଖ୍ୟ ପର୍ବ। ଏହା “ମୌରସୀ ଭୁବନେଶ୍ୱରର ଏକ ଗଣପର୍ବ ରୂପେ ପାଳିତ ହୋଇ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପାଳିତ ହେଉଛି” ବୋଲି ଭାଗୀରଥି ମହାସୁଆର ‘ଆମ ଓଡ଼ିଶା’ ପ୍ରକାଶିତ ‘ଶ୍ରୀଲିଙ୍ଗରାଜ’ ପୁସ୍ତକରେ ଲେଖିଛନ୍ତି। ତାଙ୍କ ମତରେ, ଏହା ଶ୍ରୀଲିଙ୍ଗରାଜଙ୍କର ‘ଚତୁର୍ଦ୍ଦଶ ଯାତ୍ରା’ର ଅନ୍ତର୍ଭୁକ୍ତ ପ୍ରାଚୀନ ସାତଟି ଯାତ୍ରା ମଧ୍ୟରେ ପ୍ରମୁଖ।

ଓଡ଼ିଶାର ଏକ ଗଣପର୍ବ ଭାବରେ, ଏହିଦିନ ଘରେ ଘରେ ପିଠାପଣା ହୁଏ। ପରିବାରର ପ୍ରଥମ ସନ୍ତାନ ନୂତନବସ୍ତ୍ର ପିନ୍ଧି ‘ପୋଢ଼ୁଆଁ’ (ପ୍ରଥମା) ହୁଅନ୍ତି। ଏହି ବସ୍ତ୍ର ସାଧାରଣତଃ ମାମୁଘରୁ ଆସିଥାଏ ବା ସ୍ଥଳବିଶେଷରେ ଜ୍ୟେଷ୍ଠ ସନ୍ତାନ ମାମୁଘରକୁ ଯାଇ ସେଠାରେ ପୋଢ଼ୁଆଁ ହୋଇଥାଆନ୍ତି। ଶ୍ରୀଲିଙ୍ଗରାଜ ମଧ୍ୟ ଏହି ରୀତିରେ ତାଙ୍କର ମାମୁଘର ଭାବରେ କଥିତ ମିତ୍ରେଶ୍ୱର-ବରୁଣେଶ୍ୱର ମନ୍ଦିରକୁ ଯାଇ ସେଠାରେ ପୋଢ଼ୁଆଁ ହୋଇଥାଆନ୍ତି। ସ୍ଥାନୀୟ କିଂବଦନ୍ତି ଅନୁସାରେ, ନିଆଳିର ଶ୍ରୀମାଧବାନନ୍ଦଜିଉ ମନ୍ଦିର ହେଉଛି ଶ୍ରୀଜଗନ୍ନାଥଙ୍କର ମାମୁଘର। ଏ ଦୃଷ୍ଟିରୁ, ସେଠାରୁ ଶ୍ରୀମନ୍ଦିରକୁ ପୂର୍ବକାଳରେ ପ୍ରଥମାଷ୍ଟମୀ ଭାର ଯାଉଥିଲା। ବିଗତବର୍ଷଠାରୁ ସେହି ପରମ୍ପରାର ପୁନରାବର୍ତ୍ତନ ରୂପେ ଶ୍ରୀମନ୍ଦିରକୁ ପ୍ରଥମାଷ୍ଟମୀରେ ଭାର ପଠାଯାଉଛି। ଶ୍ରୀବଳଭଦ୍ର ଜ୍ୟେଷ୍ଠ ହେଲେ ମଧ୍ୟ, ଶ୍ରେଷ୍ଠ ଆରାଧ୍ୟ ଭାବରେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କୁ ଏହି ମର୍ଯ୍ୟାଦା ଦିଆଯାଉଥିବା ମନେହୁଏ।

ଏହି ପ୍ରଥମାଷ୍ଟମୀ ପର୍ବ ଯଥାର୍ଥରେ ଜ୍ୟେଷ୍ଠପୁତ୍ରର ସମ୍ବର୍ଦ୍ଧନା। କିନ୍ତୁ ଏହିଦିନ ଷଷ୍ଠୀ ମାର୍କଣ୍ଡେୟଙ୍କର ପୂଜା କରି, ଜ୍ୟେଷ୍ଠ ସନ୍ତାନର ଦୀର୍ଘ ଜୀବନ କାମନା କରାଯାଇଥାଏ। କାରଣ, ଏହି ଷଷ୍ଠୀ ଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’।

ତନ୍ତ୍ରମତରେ, ଜ୍ୟେଷ୍ଠାଦେବୀ ହେଉଛନ୍ତି ଜ୍ୟେଷ୍ଠ ସନ୍ତାନର ରକ୍ଷାକାରିଣୀ ଶକ୍ତି। ତେଣୁ ଏହିଦିନ ତାଙ୍କର ପୂଜାକରି ଜ୍ୟେଷ୍ଠ ସନ୍ତାନ ବା ଶ୍ରେଷ୍ଠ ପିଣ୍ଡାଧିକାରୀଙ୍କର ଦୀର୍ଘାୟୁ କାମନା କରାଯାଇଥାଏ। ଏଣୁ ଶ୍ରେଷ୍ଠ ମାସ ମାର୍ଗଶିରର କୃଷ୍ଣ ଅଷ୍ଟମୀ ତିଥିରେ ଏହି ଜ୍ୟେଷ୍ଠାଦେବୀଙ୍କର ପୂଜା, ତତ୍ତ୍ୱ ଦୃଷ୍ଟିରୁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ।

The post ‘ପ୍ରଥମାଷ୍ଟମୀ’ର ତତ୍ତ୍ୱ ଓ ତାତ୍ପର୍ଯ୍ୟ first appeared on Sambad.



from ଜୀବନଚର୍ଯ୍ୟା – Sambad https://ift.tt/2LqIkPz

Post a Comment

0 Comments