କରୋନା ସଂକ୍ରମଣ ଘାତକ ସାଜୁଛି। ଏହାର ପ୍ରଭାବରେ ଶରୀରର ବିଭିନ୍ନ ଅଙ୍ଗ ଦୁର୍ବଳ ହେବା ସହ ଅନେକ ସମସ୍ୟା ଓ ରୋଗ ସୃଷ୍ଟି କରୁଛି। ମାଂସପେଶୀ ଦୁର୍ବଳ ହେବା ସହିତ ନରମ ହୋଇଯାଉଛି ହାଡ। ଯେଉଁମାନଙ୍କର ପୁରୁଣା ଆଣ୍ଠୁ, ଗଣ୍ଠି ରୋଗ ଓ ମାଂସପେଶୀ ଆଘାତ ବା କ୍ରାମ୍ପ୍ ହେବା ଆଦି ସମସ୍ୟା ରହିଛି, ସେହି ରୋଗଗୁଡିକ କରୋନା ସଂକ୍ରମଣ ପରେ ବଢିଯାଉଛି। କରୋନା ସଂକ୍ରମଣର ପ୍ରଭାବ ମାଂସପେଶୀ, ହାଡ, ଖଞ୍ଜା ଉପରେ ପଡୁଛି। ଯେଉଁମାନଙ୍କର କରୋନା ଆକ୍ରାନ୍ତ ହେବା ସମୟରେ କୌଣସି ଲକ୍ଷଣ ନଥାଏ ସେମାନଙ୍କର ସେଭଳି କୌଣସି ଅସୁବିଧା ହୁଏନାହିଁ। କିନ୍ତୁ ଯେଉଁମାନେ ଲକ୍ଷଣଯୁକ୍ତ ବା ସଂକ୍ରମଣ ସମୟରେ ଜ୍ବର, ଥଣ୍ଡା, ଦେହହାତ ଘୋଳାବିନ୍ଧା, ମୁଣ୍ଡ ବିନ୍ଧା, ନିଶ୍ବାସ ନେବାରେ ସମସ୍ୟା, ଅଣ୍ଟାବ୍ୟଥା ଆଦି ଦେଖାଯାଏ ସେମାନଙ୍କର ମାଂସପେଶୀ, ହାଡ, ଖଞ୍ଜା ଓ ସ୍ନାୟବିକ ବ୍ୟବସ୍ଥା (ନ୍ୟୁରୋ ସିଷ୍ଟମ୍)କୁ ଦୁର୍ବଳ କରିଦିଏ। ୫୦ ପ୍ରତିଶତ ସଂକ୍ରମିତଙ୍କ ପାଖରେ ଘୋଳାବିନ୍ଧା, ଦୁର୍ବଳତା, ଅଣ୍ଟା ବ୍ୟଥା, ମାଂସପେଶୀ ଆଘାତ ବା କ୍ରାମ୍ପ୍ ହେବା ସମସ୍ୟା ହୋଇଥାଏ। ହାତରେ ଜୋର କରି କୌଣସି ବସ୍ତୁ ବା ସାମଗ୍ରୀକୁ ଧରିରଖିବାର କ୍ଷମତା ୩୦ରୁ ୪୦ ପ୍ରତିଶତ କମିଯାଏ। ପୂର୍ବରୁ ଯେତିକି ଦୂରତ୍ବ ପର୍ଯ୍ୟନ୍ତ ଜଣେ ଚାଲିପାରୁଥିଲା, କରୋନା ସଂକ୍ରମଣ ପରେ ଏହା ମଧ୍ୟ କମିଯାଉଛି। ଚାଲିବାର ଦୂରତ୍ବ କମିବାର ମୁଖ୍ୟ କାରଣ ହେଉଛି ଦୁର୍ବଳତା ବା ଶକ୍ତି ହ୍ରାସ। ଏହାର ପ୍ରଭାବରେ ମାଂସପେଶୀ ଶୁଖି ଯାଇଥାଏ। ଯାହାଫଳରେ ଜଣେ ସଂକ୍ରମିତ ବା ସୁସ୍ଥ ହେବା ପରେ ସେ ଅତିଶୀଘ୍ର ଥକି ପଡିଥାଏ।
ଜଏଣ୍ଟ ପେନ୍, ଅଷ୍ଟିଓପରୋସିସ୍( ହାଡପୋରିଆ)ରୋଗ ବି ଦେଖାଯାଇ ଥାଏ। ଜଏଣ୍ଟରେ ଥିବା ତୈଳଅଂଶ କମିଯାଏ। ଅଷ୍ଟିଓନେକ୍ରୋସିସ୍ (ରକ୍ତ ସଂଚାଳନ ଅଭାବରୁ ହାଡ ସବୁ ନରମ ହୋଇଯାଏ, ବୋନ୍ ଡେନ୍ସିଟି କମିଯାଏ। ଚିକିତ୍ସା ସମୟରେ ଷ୍ଟିରୟେଡ ଦିଆଯାଉଥିବାରୁ ଏହାର ପ୍ରଭାବ ମାଂସପେଶୀ, ହାଡ଼, ଆଣ୍ଠୁଗଣ୍ଠି ଉପରେ ପ୍ରଭାବ ପକାଏ। ତା’ର ପ୍ରଭାବରେ ଅଷ୍ଟିଓନେକ୍ରୋସିସ୍, ଅଷ୍ଟିଓପରୋସିସ୍, ହାଡର ଡେନ୍ସିଟି ମଧ୍ୟ କମିଯାଏ। ମାଂସପେଶୀ ଦୁର୍ବଳ ହୋଇଯାଇଥିବାରୁ ଶରୀରର ସନ୍ତୁଳନ ପାଇଁ ଓ ସୁସ୍ଥତା ପାଇଁ ଫିଜିଓଥେରାପି, ଏରୋବିକ୍, ବ୍ୟାୟାମ, ଦୁର୍ବଳତା କମାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବା ଜରୁରୀ। ଭିଟାମିନ୍ ‘ଡି’ର ଆବଶ୍ୟକତା ପାଇଁ ଖରାରେ ପ୍ରତିଦିନ କିଛି ସମୟ ବସିବା ଦରକାର। ସନ୍ତୁଳିତ ଆହର, ବ୍ୟୟାମ ଜରୁରୀ। ଏଭଳି ସମସ୍ୟା ସବୁ ଦେଖାଦେଲେ ନିଜ ଇଚ୍ଛା ଅନୁସାରେ ଆଦୌ କୌଣସି ଔଷଧ ଖାଆନ୍ତୁନି। ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାରଣ ଏହି ସବୁ ସମସ୍ୟା ଜଟିଳ ଆଡକୁ ନେଇପାରେ। ତେଣୁ କରୋନା ସଂକ୍ରମିତ ବା କରୋନାରୁ ସୁସ୍ଥ ହେବା ପରେ ଯଦି ଆଣ୍ଠୁ, ଗଣ୍ଠିରେ ଯନ୍ତ୍ରଣା, ହାତ ଦୁର୍ବଳ ଲାଗିବା, ଜଏଣ୍ଟ ପେନ୍ ହେବା ବା କୌଣସି ପ୍ରକାର ଅସ୍ବାଭାବିକ ସମସ୍ୟା ଦେଖାଦିଏ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଅନ୍ୟପଟେ ଯେଉଁମାନଙ୍କର ପୂର୍ବରୁ ମଧୁମେହ, ଥାଇରଏଡ୍ ଓ ମେଦବହୁଳତା (ଓବେସିଟି)ଭଳି ରୋଗ ଥାଏ, ଯଦି ସେମାନେ କରୋନା ସଂକ୍ରମିତ ହୁଅନ୍ତି ତାହେଲେ ସେମାନଙ୍କ ପାଇଁ ଏହା ଗୁରୁତର ସମସ୍ୟା ସୃଷ୍ଟି କରିଥାଏ। ଏପରିକି ଘାତକ ମଧ୍ୟ ହୋଇଥାଏ। କାରଣ ଏମିତିରେ ତାଙ୍କର ହାଡ, ଗଣ୍ଠି ସବୁ ପୂର୍ବରୁ ଦୁର୍ବଳ ହୋଇ ରହିଥାଏ। ତେଣୁ ସେମାନେ କରୋନା ସଂକ୍ରମିତ ହେଲେ ତାର ପ୍ରଭାବ ସେମାନଙ୍କ ଶରୀର ଉପରେ ପଡିଥାଏ। ଏଭଳି ରୋଗୀ ଯଦି କରୋନା ସଂକ୍ରମିତ ହୁଅନ୍ତି ଓ ତାଙ୍କର ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା ଦେଖାଦିଏ, ତାହେଲେ ସେମାନେ ଏହାକୁ ଆଦୌ ଅବହେଳା କରନ୍ତୁନି।
ବିଭାଗୀୟ ମୁଖ୍ୟ, ଅସ୍ଥିଶଲ୍ୟ(ଅର୍ଥୋପେଡିକ୍)ବିଭାଗ
ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ
The post କନୋନାରେ ଦୁର୍ବଳ ମାଂସପେଶୀ, ନରମ ହାଡ଼ first appeared on Sambad.
from ଜୀବନଚର୍ଯ୍ୟା – Sambad https://ift.tt/37zB5fu
0 Comments