ବାସନ୍ତିକ ଦୁର୍ଗାପୂଜା ଓ ବିଲ୍ୱବରଣ

ଶାରଦୀୟ ଦୁର୍ଗାପୂଜା ପରି ବାସନ୍ତିକ ନବରାତ୍ର ଦୁର୍ଗାପୂଜାରେ ମଧ୍ୟ ଏକ ବିଶେଷ ନୀତି ଅନୁଷ୍ଠିତ ହୁଏ। ତାହାକୁ ବିଲ୍ୱବରଣ କୁହାଯାଏ। ବିଧି ଅନୁସାରେ, ଜଳଘଟ, ପୂଜାସାମଗ୍ରୀ, ଭୋଗରାଗ ସହିତ ବାଦ୍ୟ ବାଦକଙ୍କର ଏକ ପଟୁଆରରେ ପୂଜକ ବେଲବରଣ କରିବାକୁ ଏକ ବେଲଗଛ ପାଖକୁ ଯାଇଥାନ୍ତି। ବେଲଗଛ ପାଖରେ ପୂର୍ଣ୍ଣ କୁମ୍ଭ ରଖି, ବୃକ୍ଷକୁ ନବବସ୍ତ୍ର ଓ ପୁଷ୍ପରେ ସଜ୍ଜିତ କରି, ପୂଜା ମଣ୍ଡପକୁ ବିଜେ କରିବା ଲାଗି ଦେବୀଙ୍କୁ ଆବାହନ କରନ୍ତି। ଏହା ଏକ ତାତ୍ତ୍ୱିକ ବିଧି। କାରଣ ବେଲ ମହାଦେବଙ୍କର ପ୍ରିୟ ବୃକ୍ଷ।

ବେଲ ଏକ କଣ୍ଟାଯୁକ୍ତ ମଧ୍ୟମ ଧରଣର ବୃକ୍ଷ। ସ୍ୱର୍ଣ୍ଣକାନ୍ତିଯୁକ୍ତ ଏହି ବୃକ୍ଷର ପତ୍ରଗୁଡ଼ିକ ତ୍ରିଶାଖା ବିଶିଷ୍ଟ, ଯାହା ଆପାତତଃ ତ୍ରିଶୂଳାକାର। ପ୍ରତ୍ୟେକ ଶାଖାରେ ତିନୋଟି ପତ୍ର ସଜ୍ଜିତ ହୋଇରହିଥିବାରୁ ଏହାକୁ ସତ୍‌-ଚିତ୍‌-ଆନନ୍ଦ, ସତ୍ତ୍ୱ-ରଜ-ତମ, ସ୍ଥୂଳ-ସୂକ୍ଷ୍ମ-ଅଚିନ୍ତ୍ୟ ଏବଂ ଧର୍ମ-ଜ୍ଞାନ-ବୈରାଗ୍ୟର ପ୍ରତୀକ ଭାବରେ ଗ୍ରହଣ କରାଯାଏ। ତେଣୁ ପୂଜକମାନେ ଶିବଙ୍କୁ ବେଲପତ୍ର ଲାଗି କଲା ବେଳେ କହିଥାନ୍ତି-
ତ୍ରିଦଳଂ ତ୍ରିଗୁଣାକାରଂ ତ୍ରିନେତ୍ରଂଚ ତ୍ରିଆୟୁଧମ୍‌
ତ୍ରିଜନ୍ମ ପାପସଂହାରଂ ବିଲ୍ୱପତ୍ରଂ ଶିବାର୍ପଣମ୍।

‘ଶ୍ରୀସୂକ୍ତ’ର ବର୍ଣ୍ଣନା ଅନୁସାରେ, ଏକଦା ଦେବୀଙ୍କଠାରୁ ଏହି ବୃକ୍ଷ ଜାତ ହୋଇଥିଲା। ତେଣୁ ଏହାକୁ ଶ୍ରୀବୃକ୍ଷ କୁହାଯାଏ। ଦେବୀ ଦୁର୍ଗା ଯେତେବେଳେ କନକବର୍ଣ୍ଣା ହୁଅନ୍ତି, ସେ ହୁଅନ୍ତି ‘ଶ୍ରୀ’ ବା ‘ଲକ୍ଷ୍ମୀ’। ଏହି ବୃକ୍ଷ ତାଙ୍କର ନିତ୍ୟ ନିବାସ ସ୍ଥଳ। ସ୍ୱୟଂ ମହାଦେବ ତ୍ରିଗୁଣର ଆଧାର। ସେ ସୃଷ୍ଟି-ସ୍ଥିତି-ବିନାଶର କର୍ତ୍ତା। ଠିକ୍ ସେହିପରି, ସ୍ୱୟଂ ମହାଦେବୀ ମଧ୍ୟ ପାଳନ ଓ ବିନାଶକାରିଣୀ ଏବଂ ସଂସାରର ରକ୍ଷାକାରିଣୀ ଦେବୀ ଦୁର୍ଗତି ନାଶିନୀ ଦୁର୍ଗା। ସେ ଭୁକ୍ତି, ମୁକ୍ତି ଓ ଶାନ୍ତି ଏବଂ ସୁଖ, ଶାନ୍ତି ଓ ଐଶ୍ୱର୍ଯ୍ୟଦାୟିନୀ। ତେଣୁ ଏହି ବିଲ୍ୱବରଣ ମାଧ୍ୟମରେ ଦେବୀଙ୍କୁ ମୃଣ୍ମୟ ମୂର୍ତ୍ତିରେ ବିରାଜମାନ କରିବାକୁ ନିମନ୍ତ୍ରଣ କରାଯାଇଥାଏ। ତାଙ୍କ ସହିଦ, ଦେବୀ ଯେଉଁ ତ୍ରିଦେବଙ୍କର ଆଧାର- ତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଏ। କାରଣ ପୁରାଣରେ ବର୍ଣ୍ଣିତ ଅଛି, ଏହି ବୃକ୍ଷର ମୂଳରେ ବ୍ରହ୍ମା, ମଧ୍ୟଭାଗରେ ବିଷ୍ଣୁ ଏବଂ ଶୀର୍ଷ ଦେଶରେ ମହାଦେବ ନିବାସ କରିଥାନ୍ତି।

ଡକ୍ଟର ତୁଳସୀ ଓଝା, ମୋ: ୯୪୩୭୪୨୨୪୧୧

The post ବାସନ୍ତିକ ଦୁର୍ଗାପୂଜା ଓ ବିଲ୍ୱବରଣ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3wYKwRE

Post a Comment

0 Comments