ଗୋସହସ୍ରୀ ଗଙ୍ଗାସ୍ନାନ

ଗୋସହସ୍ରୀ ଗଙ୍ଗାସ୍ନାନ ନିର୍ଦ୍ଦିଷ୍ଟ ତିଥି ଓ ବାରରେ ପଡ଼ୁଥିବା ଏକ ସ୍ନାନ। ମଙ୍ଗଳବାର ଦିନ ଅମାବାସ୍ୟା ତିଥି ପଡ଼ିଲେ, ସେହି ଯୋଗରେ ଏହି ସ୍ନାନ ହୋଇଥାଏ। ଏହାର ଅନ୍ୟନାମ ‘ଭୌମବତୀ’ ଅମାବାସ୍ୟା। କାରଣ ମଙ୍ଗଳବାରର ଅନ୍ୟନାମ ‘ଭୌମବାର’। ଏ ବର୍ଷ ବୈଶାଖ ଅମାବାସ୍ୟା ମଙ୍ଗଳବାର ଦିନ ପଡ଼ୁଥିବାରୁ ଏହି ସ୍ନାନଯୋଗ ଅଛି। ପ୍ରବାଦ ଅଛି ଯେ ମଙ୍ଗଳବାର ଦିନ ଅମାବାସ୍ୟା ପଡ଼ିବା ଏକ ଅଶୁଭ ଯୋଗ। କିନ୍ତୁ ସନାତନ ହିନ୍ଦୁଧର୍ମରେ ଅଶୁଭଯୋଗଗୁଡ଼ିକ ମଧ୍ୟ ପୁଣ୍ୟ ଅର୍ଜନର ପ୍ରକୃଷ୍ଟ ସମୟ। ସେଥିପାଇଁ ଏହି ତିଥିରେ ‘ଗୋସହସ୍ରୀ ଗଙ୍ଗାସ୍ନାନ’ର ବ୍ୟବସ୍ଥା ରହିଛି।

‘ଅମରକୋଷ’ର ଉଲ୍ଲେଖ ଅନୁସାରେ, ବ୍ୟାସଦେବ କହିଛନ୍ତି- “ଅମାବାସ୍ୟା ଭବେଦ୍ୱାରୋ ଯଦି ଭୂମିସୁତସ୍ୟ ଚ। ଗୋସହସ୍ରଫଳଂ ଦଦ୍ୟାତ୍ ସ୍ନାନମାତ୍ରେଣ ଜାହ୍ନବୀ।” ଅର୍ଥାତ୍‌, ଅମାବାସ୍ୟା ତିଥିଯୁକ୍ତ ମଙ୍ଗଳବାରରେ ଗଙ୍ଗାସ୍ନାନ କଲେ ସହସ୍ର ଗୋଦାନର ପୁଣ୍ୟଫଳ ମିଳେ। ଏଣୁ ଏହିଦିନ ପ୍ରଭାସ, ବାରାଣସୀ ଓ ପୁଷ୍କର ପ୍ରଭୃତି ତୀର୍ଥରେ ସ୍ନାନ ନିମନ୍ତେ ଶାସ୍ତ୍ରନିର୍ଦ୍ଦେଶ ଅଛି। ଗୋଦାନର ଫଳ, ବିଶେଷତଃ ସହସ୍ର ଗୋଦାନର ଫଳ ସଂପର୍କରେ ‘ପଦ୍ମପୁରାଣ’, ‘ମତ୍ସ୍ୟପୁରାଣ’, ‘କୂର୍ମପୁରାଣ’, ‘ସ୍କନ୍ଦପୁରାଣ’ ଓ ‘ମହାଭାରତ’ ଆଦିରେ ଅନେକ ବର୍ଣ୍ଣନା ରହିଛି।

‘ଋକ୍‌ବେଦ’ ଓ ‘ଅଥର୍ବବେଦ’ରେ ବର୍ଣ୍ଣିତ ଅଛି ଯେ ସୃଷ୍ଟିର ଅମୃତଦାୟିନୀ ସତ୍ତ୍ୱ ହେଉଛନ୍ତି ଗୋମାତା। ‘ଅଥର୍ବବେଦ’ର ଚତୁର୍ଥକାଣ୍ଡ ଅନ୍ତର୍ଗତ ‘ଗୋସୂକ୍ତ’ର ବର୍ଣ୍ଣନା ଅନୁସାରେ, ଗୋମାତା ହେଉଛନ୍ତି ଘୃତରୂପୀ ଅମୃତର ରତ୍ନାଗାର। ଏ ଦୃଷ୍ଟିରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ଗୋ-ମାହାତ୍ମ୍ୟ’ର ସପ୍ତମ ଅଧ୍ୟାୟରେ ଗୋଦାନର ମାହାତ୍ମ୍ୟ ସୂଚାଇ କହିଛନ୍ତି-

ତରେ ସେ ସକଳ ଦୁର୍ଗତି। ନ ଭୋଗେ କେବେ ହେଁ ବିପତ୍ତି।।
ସହସ୍ରେ ଗୋଦାନ ଯେ କରେ। ମର‌େଣ ନରକୁ ନିସ୍ତରେ।।
ଅମାବାସ୍ୟା ତିଥିଯୁକ୍ତ ମଙ୍ଗଳବାରରେ ଯେଉଁମାନେ ଗଙ୍ଗାସ୍ନାନ କରି ନପାରିବେ, ସେମାନଙ୍କପାଇଁ ଶାସ୍ତ୍ରରେ ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିଛି। ତଦନୁସାରେ, ଆମ ଦେଶର ଅନେକ ଅଞ୍ଚଳରେ ଏହି ଗୋସହସ୍ରୀ ଗଙ୍ଗାସ୍ନାନ ତିଥିରେ ଗୋମାତାଙ୍କୁ ଗୁଡ଼ ଖୁଆଇବାର ବିଧି ପ୍ରଚଳିତ ଅଛି। ଏହା କଲେ ସକଳ ରିଷ୍ଟ ଖଣ୍ଡନ ହେବା ସହିତ ପୁଣ୍ୟାର୍ଜନ ହୁଏ ବୋଲି ବିଶ୍ୱାସ ରହିଛି।

ଅମୃତେଶ ଖଟୁଆ, ମୋ: ୮୨୬୦୫୬୫୫୨୪

The post ଗୋସହସ୍ରୀ ଗଙ୍ଗାସ୍ନାନ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3tvcu4h

Post a Comment

0 Comments