
ଶ୍ରୀଜଗନ୍ନାଥଙ୍କ ‘ନୀଳାଦ୍ରିବିଜେ’ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ‘ବିଭୀଷଣ ବନ୍ଦାପନା’। ଏହାର ଅନ୍ୟନାମ ‘ଦକ୍ଷିଣାଭିମୁଖ ବନ୍ଦାପନା’। କଥିତ ଅଛି ଯେ ଲଙ୍କାର ରାଜା ବିଭୀଷଣଙ୍କ ପକ୍ଷରୁ ଶ୍ରୀଜଗନ୍ନାଥଙ୍କୁ ଏହି ବନ୍ଦାପନା କରାଯାଏ। ଲଙ୍କା ନଗରୀର ଅବସ୍ଥିତି ଦକ୍ଷିଣ ଦିଗରେ ହୋଇଥିବାରୁ ଏହାର ନାମ ଦକ୍ଷିଣାଭିମୁଖ ବନ୍ଦାପନା ହୋଇଛି। ସାତପାହାଚ ଦେଇ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରର ଜଗମୋହନରେ ପ୍ରବେଶ କରିବା ପରେ, ସେ ଦକ୍ଷିଣାଭିମୁଖ ଥିବା ଅବସ୍ଥାରେ, ଗରୁଡ଼ଙ୍କ ସମ୍ମୁଖରେ ଏହି ବନ୍ଦାପନା କରାଯାଏ।
ଏହାର ଗୋଟିଏ ସଂପର୍କ ସୂତ୍ର ‘ସାରଳା ମହାଭାରତ’ରେ ଅଛି। ତାହାର ‘ସଭାପର୍ବ’ ଅନୁସାରେ, ଯୁଝେଷ୍ଠି (ଯୁଧିଷ୍ଠିର) କରିଥିବା ରାଜସୂୟ ଯଜ୍ଞକୁ ବିଭୀଷଣ ନିମନ୍ତ୍ରିତ ହୋଇଥିଲେ। ନିମନ୍ତ୍ରଣ ରକ୍ଷା କରି ସେ ଆସି ପହଞ୍ଚିବା ପରେ, ଶ୍ରୀକୃଷ୍ଣ ତାଙ୍କୁ ‘ପଞ୍ଚୁକଟକ’ ବ୍ୟାପୀ ଯଜ୍ଞସ୍ଥଳ ବୁଲାଇ ଦେଖାଇ ଥିଲେ। ରାଜସୂୟ ଯଜ୍ଞ ଶେଷ ହେବା ପରେ ବିଭୀଷଣଙ୍କର ବିଦାୟ ବେଳା ଆସିଲା। ଶ୍ରୀକୃଷ୍ଣ ତାଙ୍କୁ ବାଟେଇ ଦେବାପାଇଁ ଯମୁନା ତଟ ପର୍ଯ୍ୟନ୍ତ ଗଲେ। ଯମୁନାତଟଠାରେ ବିଭୀଷଣ ତାଙ୍କୁ ପଚାରିଲେ- ଏବେ ତ ଦ୍ୱାପର ଯୁଗରେ ଆପଣଙ୍କ ସହିତ ଏହି ସାକ୍ଷାତ ହେଲା; କଳିଯୁଗରେ ମୁଁ ଆପଣଙ୍କର ଦର୍ଶନ କିପରି ପାଇବି?
ତାହାର ଉତ୍ତରରେ ଶ୍ରୀକୃଷ୍ଣ କହିଥିଲେ- ବାରାନିଧି (ମହୋଦଧି ବା ସମୁଦ୍ର)ର ଉତ୍ତର ତଟରେ ଅଛି ଯମନିକ ତୀର୍ଥ (ଶ୍ରୀକ୍ଷେତ୍ର)। ସେଠାରେ ଅଛି ନୀଳସୁନ୍ଦର ପର୍ବତ (ଶ୍ରୀମନ୍ଦିର)। ସେହିଠାରେ ଆମେ ବିଜେ କରିବୁ। ମିଥୁନ (ଆଷାଢ଼) ମାସ, ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆମର ରଥଯାତ୍ରା ହେବ। ସେହି ରଥଯାତ୍ରାରେ ଆମେ ବଳଗଣ୍ଡିଠାରେ ବିଶ୍ରାମ କରିବୁ। ସେତିକିବେଳେ ପ୍ରାୟ ଅଧଘଡ଼ି ଧରି ଆମର ଦକ୍ଷିଣାଭିମୁଖ ମୂର୍ତ୍ତି ହେବ (ଅର୍ଥାତ୍, ଆମେ ଦକ୍ଷିଣ ଦିଗକୁ ଚାହିଁ ରହିବୁ)। ସେତିକିବେଳେ ତୁମେ ତୁମ ଲଙ୍କାଗଡ଼ର ଜଗତି ଉପରେ ଥାଇ ଚାହିଁଲେ ଆମର ଦର୍ଶନ ପାଇବ।
ମନେହୁଏ, ଏହାହିଁ ଶ୍ରୀଜଗନ୍ନାଥଙ୍କ ‘ଦକ୍ଷିଣାଭିମୁଖ ବନ୍ଦାପନା’ର ଭିତ୍ତି। ପୂର୍ବେ ରଥଯାତ୍ରାବେଳେ ରଥର ପଥ ସୁଗମ ନଥିଲା। ବଡ଼ଦାଣ୍ଡକୁ ଦୁଇ ଭାଗ କରି ପ୍ରବାହିତ ହେଉଥିଲା ମାଳିନୀ ନଦୀ। ରଥ ଯାଇ ସେଠାରେ ରହୁଥିଲା। ପରେ ନଦୀ ପୋତା ହୋଇ ରଥର ପଥ ସୁଗମ ହେବାରୁ, ବଳଗଣ୍ଡି ଆଉ ରଥର ବିଶ୍ରାମ ସ୍ଥଳ ହେଲା ନାହିଁ। ତେଣୁ ସେଠାରେ ହେଉଥିବା ‘ଦକ୍ଷିଣାଭିମୁଖ’ ନୀତି ଏବେ ‘ନିଳାଦ୍ରିବିଜେ’ ସମୟରେ ଗରୁଡ଼ଙ୍କ ସମ୍ମୁଖରେ କରାଯାଉଛି। ସେହି ବନ୍ଦାପନା ବିଭୀଷଣଙ୍କ ପକ୍ଷରୁ କରାଯାଉଥିବାରୁ ତାହାର ନାମ ହୋଇଛି ‘ବିଭୀଷଣ ବନ୍ଦାପନା’।
The post ବିଭୀଷଣ ବନ୍ଦାପନା first appeared on Sambad.from ଜୀବନଚର୍ଯ୍ୟା | Sambad https://ift.tt/3zvVlet
0 Comments