ସ୍ମୃତି-ବିସ୍ମୃତିରେ ଗହ୍ମାପୂର୍ଣ୍ଣିମା

ଶ୍ରାବଣ ପୂର୍ଣ୍ଣିମା ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ଜନ୍ମ ଦିବସ। ସମଗ୍ର ଭାରତରେ ରକ୍ଷାବନ୍ଧନର ପର୍ବ ଭାବରେ ଏହା ପାଳିତ ହୋଇଥାଏ। କିନ୍ତୁ ଓଡ଼ିଶାର ଗ୍ରାମାଞ୍ଚଳରେ ଏହି ପର୍ବ ଭିନ୍ନ ଓ ସ୍ୱତନ୍ତ୍ର ଭାବରେ ପାଳିତ ହୁଏ। ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ହଳ ବା ଲଙ୍ଗଳଧାରୀ ବଳଭଦ୍ର କୃଷିକାରୀର ପ୍ରତୀକ। ସେହିପରି କୃଷିର ପ୍ରଧାନ ସାଧନ ଗୋରୁକୁଳ। ତେଣୁ କୃଷକ ପରିବାର ଏହିଦିନ ବଳଭଦ୍ରଙ୍କ ପୂଜନ ସହିତ ଗୋପୂଜନ ମଧ୍ୟ କରିଥାନ୍ତି।

ଗାଈ ବା ଗୋମାତା ସର୍ବମାନ୍ୟା। କିନ୍ତୁ ଏହି ପର୍ବରେ ଗାଈମାନଙ୍କ ସହିତ କୃଷି କ୍ଷେତ୍ରରେ ନିୟୋଜିତ ବଳଦଙ୍କୁ ମଧ୍ୟ ପୂଜା କରାଯାଇଥାଏ। ଏହି ଦିନ ଗାଈ ଓ ବଳଦମାନଙ୍କୁ ଗାଧୋଇ ଦେଇ ସେମାନଙ୍କ ବେକରେ ନବ ବସ୍ତ୍ର ଓ ଫୁଲମାଳ ଏବଂ ମୁଣ୍ଡରେ ସିନ୍ଦୂର ଚନ୍ଦନ ଦେଇ, ଶିଙ୍ଗରେ ଦୂବ, ଫୁଲରେ ତିଆରି ରେଶମୀ ରାଖି ବାନ୍ଧି ବନ୍ଦାପନା କରାଯାଏ। ଘରେ ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି ଆଦି ତିଆରି କରାଯାଇ ଗାଈ ଓ ବଳଦମାନଙ୍କୁ ଖାଇବାକୁ ଦିଆଯାଏ।

ଓଡ଼ିଶାର ପାଇକ ପରମ୍ପରାରେ କୃଷକମାନେ ହିଁ ଯୁଦ୍ଧ ସମୟରେ ସୈନିକ ଭାବେ ଯୁଦ୍ଧକ୍ଷେତ୍ରକୁ ଯାଉଥିଲେ। ବଳଭଦ୍ର ସ୍ୱୟଂ ବଳର ପ୍ରତୀକ। ଏଥିପାଇଁ ନୂତନ ଭାବରେ ପାଇକବାହିନୀରେ ଯୋଗଦେଉଥିବା ପାଇକମାନେ ମଧ୍ୟ ବଳଭଦ୍ରଙ୍କ ଜନ୍ମଦିନରୁ ଅଭ୍ୟାସ କାର୍ଯ୍ୟ ଆରମ୍ଭ କରୁଥିଲେ। ଏହାର ପ୍ରତୀକ ଥିଲା ‘ଗହ୍ମା ଡିଆଁ’।

ଗ୍ରାମ ସୀମାନ୍ତରେ ମାଟିରେ ଏକ ବିଶାଳ ଆକୃତିର ବଳଦ (ଗହ୍ମା) ନିର୍ମାଣ କରାଯାଇଥାଏ। ଏହାର ଗୋଟିଏ ପଟ ସୁଉଚ୍ଚ ହୋଇଥିବା ବେଳେ ଅନ୍ୟ ପଟଟି ଆସ୍ତେ ଆସ୍ତେ ଢାଲୁ ହୋଇଥାଏ। ଗ୍ରାମର କିଶୋରମାନେ ଢ଼ାଲୁ ପଟରୁ ଡେଇଁଡେଇଁ ଆସି ଉଚ୍ଚପଟରେ ଡେଇଁବାର ଅଭ୍ୟାସ କରନ୍ତି।

ବୀରବାଦ୍ୟ ସହିତ ଏହି ଡିଆଁପର୍ବ ଚାଲେ। ଗହ୍ମା ପାଖରେ ଭୋଗରାଗ କରାଯାଇ ଗ୍ରାମବାସୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ।

କିନ୍ତୁ ଏବେ ଏହି ‘ଗହ୍ମାଡିଆଁ’ ପ୍ରାୟ ହଜି ଗଲାଣି। ଏଥିରେ ଏକ ଅଣ୍ଡିରା ବାଛୁରୀକୁ ଆଣି ଗହ୍ମା ଉପରେ ଡିଆଁଇବାର ବିଧି ମଧ୍ୟ ଥିଲା। ସେହି ବାଛୁରୀକୁ ବଳଦ କରି କୃଷି କାର୍ଯ୍ୟରେ ବିନିଯୋଗ କରାଯାଉଥିଲା। କିନ୍ତୁ ଏହି ପାରମ୍ପରିକ ବିଧି ମଧ୍ୟ କ୍ରମେ ବିସ୍ମୃତ ହେବାକୁ ବସିଲାଣି।

ଡକ୍ଟର ତୁଳସୀ ଓଝା

The post ସ୍ମୃତି-ବିସ୍ମୃତିରେ ଗହ୍ମାପୂର୍ଣ୍ଣିମା first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3AZNuX0

Post a Comment

0 Comments