
ମାର୍ଗଶିର ମାସ ହେଉଛି ଲକ୍ଷ୍ମୀଙ୍କ ମାସ। ଏହି ମାସର ଗୁରୁବାରଗୁଡ଼ିକରେ ଲକ୍ଷ୍ମୀପୂଜା କରାଯାଏ। ଓଡ଼ିଶାର ଘରେ ଘରେ ପାଳିତ ଏହି ଲକ୍ଷ୍ମୀପୂଜାର ବିଶେଷତ୍ୱ ହେଉଛି- ଏଥିରେ ଲକ୍ଷ୍ମୀଙ୍କର ପ୍ରତିମା ବା ମୂର୍ତ୍ତିଙ୍କୁ ପୂଜା କରାଯାଏ ନାହିଁ। ଛୋଟ ଧାନମପା ପାତ୍ର ବା ‘ମାଣ’ରେ ଶୁକ୍ଳଧାନ ପୂର୍ଣ୍ଣକରି, ତା’ ଉପରେ ଶୁକ୍ଳଧାନର ମେଣ୍ଟା ସ୍ଥାପନ କରି, ନାଲିକନାର ଓଢ଼ଣି ଦେଇ, ତାହାକୁ ଲକ୍ଷ୍ମୀ ଭାବରେ ପୂଜା କରାଯାଏ। ଏ ହେଉଛି- ଶସ୍ୟଲକ୍ଷ୍ମୀ ବା ଧାନ୍ୟଲକ୍ଷ୍ମୀଙ୍କର ପ୍ରତୀକ ପୂଜା।
ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ବ୍ୟତୀତ, ‘ଧାନମାଣିକା ଓଷା’ ନାମରେ ଆଉ ଗୋଟିଏ ଓଷାକଥା ଓଡ଼ିଶାରେ ପ୍ରଚଳିତ। ତାହାର ଅନ୍ୟନାମ ‘ଶ୍ୟାମାଦେଈ କଥା’। ସେହି ଓଷାକଥାଟି ଏହିପରି।
ଲକ୍ଷଶ୍ରୀ ନାମରେ ଜଣେ ସାଧବ। ସେ ଘରର ସାଧବାଣୀ ଶୁଚିମନ୍ତ ନଥିଲା। ଏପରିକି ମାର୍ଗଶିର ମାସର ଗୁରୁବାର ବି ପାଳେ ନାହିଁ। ତେଣୁ ପ୍ରଥମ ଗୁରୁବାର ଦିନ ଲକ୍ଷ୍ମୀଦେବୀ ବୁଢ଼ୀ ବେଶରେ ଆସି ତାକୁ ଧାନମାଣିକା ଓଷା ବା ମାଣବସା କରିବାକୁ କହିଲେ। କିନ୍ତୁ ସାଧବାଣୀ ନଶୁଣି, ତାଙ୍କୁ ଗାଳିଦେଇ ଘଉଡ଼ାଇ ଦେଲା।
ସେହି ସାଧବ-ସାଧବାଣୀଙ୍କ ଝିଅ ଶ୍ୟାମାଦେଈ। ସେ ସେହି ବୁଢ଼ୀଙ୍କୁ ଦେଖି, ଭକ୍ତିର ସହ ତାଙ୍କୁ ଗୋସେଇଁ ମା’ ଡାକିଲା ଏବଂ ତାଙ୍କଠାରୁ ଓଷାର ବିଧି ଜାଣି ସେହି ଓଷା କଲା। ତା’ର ସେହି ଓଷା ଫଳରେ ସାଧବ ଘରର ଧନ ସଂପତ୍ତି ବଢ଼ିଲା। ଶ୍ୟାମାଦେଈ ସେ ରାଇଜର ରାଜାଙ୍କୁ ବି ବାହା ହେଲା। ବାହା ହୋଇ ଶାଶୁ ଘରକୁ ଗଲାବେଳେ, ମାଣବସାର ମାଣଟିକୁ ନିଜ ସାଙ୍ଗରେ ନେଇଗଲା।
ଶ୍ୟାମାଦେଈ ଯୋଗୁଁ ଲକ୍ଷ୍ମୀ ସାଧବଘରେ ଥିଲେ। ସେ ଚାଲିଯିବାରୁ ସାଧବଘରୁ ଲକ୍ଷ୍ମୀ ଛାଡ଼ିଗଲେ। ସାଧବ-ସାଧବାଣୀଙ୍କୁ ଅନ୍ନ ବସ୍ତ୍ର ମିଳିଲା ନାହିଁ। ଫଳରେ ଅନ୍ୟମାନଙ୍କର ପରାମର୍ଶ ମାନି ସାଧବ, ସାଧବପୁଅ ଓ ସାଧବବୋହୂ ପାଳି କରି ଶ୍ୟାମାଦେଈ ଘରକୁ ଗଲେ। ଶ୍ୟାମାଦେଈ କେତେବେଳେ ପାଣିକଖାରୁ ଭିତରେ ତ କେବେ ପିଠା ଭିତରେ, ପୁଣି କେବେ ପୋଲା ବାଡ଼ି ଭିତରେ, ଲୁଚାଇ କରି ତାଙ୍କୁ ଅନେକ ଧନରତ୍ନ ଦେଲା। କିନ୍ତୁ ଲକ୍ଷ୍ମୀ ଅପ୍ରସନ୍ନ ଥିବାରୁ ସେସବୁ ଅଙ୍ଗାର ପାଲଟିଗଲା ବା ଉଭେଇଗଲା। ଶେଷରେ ସାଧବାଣୀ ଝିଅ ଘରକୁ ଗଲା ଏବଂ ତା’ଠୁ ଓଷାବିଧି ବୁଝି ଧାନମାଣିକା ଓଷା କଲା। ଫଳରେ ପୁଣି ସାଧବଘର ଧନ ସଂପଦରେ ପୂରି ଉଠିଲା।
ଏହି ଓଷା କଥା ଆମକୁ କହେ- ଭକ୍ତି ଓ ନିଷ୍ଠାର ସହ ଶୁଦ୍ଧପୂତ ଭାବରେ ଲକ୍ଷ୍ମୀଙ୍କର ପୂଜା କଲେ, ଘର ଧନ-ଧାନ୍ୟରେ ଭରି ଉଠେ। ତା’ ନହେଲେ ଘର ଓ ଘରର ଲୋକେ ଲକ୍ଷ୍ମୀଛଡ଼ା ହୋଇଯାଆନ୍ତି।
The post ଧାନମାଣିକା ଓଷା first appeared on Sambad.from ଜୀବନଚର୍ଯ୍ୟା | Sambad https://ift.tt/3nRMZe3
0 Comments