କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା: ଯମଙ୍କ ପାଞ୍ଜିଆ ଚିତ୍ରଗୁପ୍ତଙ୍କ ଜୟନ୍ତୀ

କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା ତିଥି ଚିତ୍ରଗୁପ୍ତଙ୍କର ଜୟନ୍ତୀ। କିନ୍ତୁ ଉତ୍ତରଭାରତରେ ଓ ତାମିଲନାଡ଼ୁରେ ଭିନ୍ନ ଭିନ୍ନ ତିଥିରେ ତାଙ୍କର ଜୟନ୍ତୀ ପାଳିତ ହୋଇଥାଏ। ଉତ୍ତର ଭାରତରେ ଚୈତ୍ର କୃଷ୍ଣ ଦ୍ୱାଦଶୀକୁ ଏବଂ ତାମିଲନାଡ଼ୁରେ ‘ଚିଥିରାଇ’ ବା ଚୈତ୍ରପୂର୍ଣ୍ଣମୀକୁ ଅନେକେ ଚିତ୍ରଗୁପ୍ତ ଜୟନ୍ତୀ ରୂପେ ପାଳନ କରିଥାଆନ୍ତି।

ଚିତ୍ରଗୁପ୍ତ ଯମଙ୍କର ପାଞ୍ଜିଆ ଭାବରେ ପରିଚିତ। ପ୍ରତ୍ୟେକ ଜୀବିତ ମନୁଷ୍ୟଙ୍କର ପାପପୁଣ୍ୟର ହିସାବ ସେ ଲେଖିରଖନ୍ତି। ମୃତ୍ୟୁ ପରେ ଯମଦୂତମାନେ ଯେତେବେଳେ ମୃତବ୍ୟକ୍ତିଙ୍କୁ ନେଇ ଯମରାଜଙ୍କ ନିକଟରେ ହାଜର କରାନ୍ତି, ସେତେବେଳେ ଚିତ୍ରଗୁପ୍ତ ପାଞ୍ଜି ଖୋଲି ତାଙ୍କର ପାପପୁଣ୍ୟର ତାଲିକା ଯମରାଜଙ୍କୁ ଜଣାନ୍ତି। ତାହାର ବିଚାରରେ ମନୁଷ୍ୟକୁ ତା’ର ପାପ କର୍ମ ପାଇଁ ଦଣ୍ଡିତ କରାଯାଏ। ପାପପୁଣ୍ୟ ଅନୁସାରେ ମଧ୍ୟ, ମନୁଷ୍ୟ ସ୍ୱର୍ଗ ବା ନର୍କ ଭୋଗ କରେ ବୋଲି ବିଶ୍ୱାସ ରହିଛି।

‘ଭବିଷ୍ୟ ପୁରାଣ’ ଓ ‘ଗରୁଡ଼ପୁରାଣ’ରେ ଚିତ୍ରଗୁପ୍ତଙ୍କ ସଂପର୍କରେ ବର୍ଣ୍ଣନା ଅଛି। ସେହି ବର୍ଣ୍ଣନା ଅନୁସାରେ- ବ୍ରହ୍ମା ପୃଥିବୀକୁ ସୃଷ୍ଟିକରି ଧ୍ୟାନସ୍ଥ ଥିବାବେଳେ, ତାଙ୍କ ଶରୀରରୁ ଏକ ବିଚିତ୍ରବର୍ଣ୍ଣର ପୁରୁଷ ଜାତ ହେଲେ। ସେ ମସ୍ୟାଧାର (ଦୁଆତ) ଓ ଲେଖନୀ (କଲମ) ଧରି ଜାତ ହୋଇଥିଲେ। ତାଙ୍କର କାମ କ’ଣ ବୋଲି ସେ ବ୍ରହ୍ମାଙ୍କୁ ପଚାରିବାରେ, ବ୍ରହ୍ମା ତାଙ୍କୁ ମନୁଷ୍ୟମାନଙ୍କର ଚିତ୍ର ବିଚିତ୍ର ପାପପୁଣ୍ୟର ହିସାବ ଗୋପନୀୟ ଭାବରେ ଲେଖି ରଖିବା ପାଇଁ କହିଲେ।

‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଅନୁସାରେ, ‘ଚିତ୍ର’ର ଅର୍ଥ ଲେଖନ। ଯେ ଲେଖନର ଗୋପନୀୟତା ରକ୍ଷା କରନ୍ତି- ସେ ‘ଚିତ୍ରଗୁପ୍ତ’। ଜନ୍ମପୂର୍ବରୁ ସେ ବ୍ରହ୍ମାଙ୍କର ‘କାୟା’ ବା ଶରୀରରେ ଥିବାରୁ ତାଙ୍କର ଅନ୍ୟନାମ ‘କାୟସ୍ଥ’। କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା ବା ‘ଯମଦ୍ୱିତୀୟା’ ଦିନ କାୟସ୍ଥବଂଶୀମାନେ ତାଙ୍କୁ ଏବଂ କାଳିଦୁଆତ ଓ କଲମକୁ ପୂଜା କରନ୍ତି। ଚିତ୍ରଗୁପ୍ତଙ୍କୁ ସବୁ ଶ୍ରେଣୀର କାୟସ୍ଥମାନେ ତାଙ୍କର ଆଦିପୁରୁଷ ରୂପେ ଗ୍ରହଣ କରନ୍ତି।

ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ମନୁଷ୍ୟର କପାଳରେ ବିଧି ବା ବ୍ରହ୍ମା ଯେଉଁ ଭାଗ୍ୟଲିଖନ ଲେଖିଥାଆନ୍ତି, ତାହା ଚିତ୍ରଗୁପ୍ତ ହିଁ ଲେଖନ୍ତି। ‘ଭାଷାକୋଷ’ ଅନୁସାରେ, ଚିତ୍ରଗୁପ୍ତ ଚତୁର୍ଦ୍ଦଶ ଯମଙ୍କ ମଧ୍ୟରୁ ଅନ୍ୟତମ। ‘ଗରୁଡ଼ ପୁରାଣ’ ଅନୁସାରେ ଯମପୁର ନିକଟସ୍ଥ ଚିତ୍ରଗୁପ୍ତପୁରୀରେ ସେ ନିବାସ କରନ୍ତି।

The post କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା: ଯମଙ୍କ ପାଞ୍ଜିଆ ଚିତ୍ରଗୁପ୍ତଙ୍କ ଜୟନ୍ତୀ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/31KsuHy

Post a Comment

0 Comments