ଶ୍ରୀଜଗନ୍ନାଥଙ୍କ ନାମର ପ୍ରକୃତ ସାର୍ଥକତା: ସଂସାର ସୁଖୀ ରହୁ

ଆମେ ଦୀପାବଳି ପାଳୁ କାର୍ତ୍ତିକ ଅମାବାସ୍ୟାରେ। କେତେକ ଅଞ୍ଚଳରେ ଏହା ତିନିଦିନ ଧରି ପାଳିତ ହେଲେ ମଧ୍ୟ, ମୁଖ୍ୟତଃ ଏହି ଗୋଟିଏ ଦିନ ହିଁ ମୁଖ୍ୟ। କିନ୍ତୁ ଶ୍ରୀମନ୍ଦିରରେ ଦୀପାବଳି ପାଳନ ହୁଏ ତିନିଦିନ ଧରି। ଏହି ତିନି ଦିନ ହେଉଛି- ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ମାର୍ଗଶିର ଅମାବାସ୍ୟା ଓ ମାର୍ଗଶିର ଶୁକ୍ଳ ପ୍ରତିପଦା। ଏହି ଦୀପାବଳିରେ ଶ୍ରୀଜଗନ୍ନାଥ ତାଙ୍କର ପିତୃପୁରୁଷଙ୍କୁ ଦୀପଦାନ କରିଥାଆନ୍ତି। ଏହାର ନାମ ‘ଦେବ ଦୀପାବଳି’।

ଶାସ୍ତ୍ରମତ ଅନୁସାରେ, ଶ୍ରୀଜଗନ୍ନାଥ ସାକ୍ଷାତ୍ ପରଂବ୍ରହ୍ମ। ତାଙ୍କର ପିତା, ମାତା, ପିତାମହ ଆଦି କେହି ନାହାନ୍ତି। କିନ୍ତୁ ‘ସ୍କନ୍ଦ ପୁରାଣ- ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ’ ଅନୁସାରେ, ଦାରୁ ଶରୀର ଧାରଣ କରିଥିଲେ ମଧ୍ୟ, ସେ ସାକ୍ଷାତ୍ ପରଂବ୍ରହ୍ମ। କେବଳ ମାନବୀୟ ଲୀଳା କରିବା ନିମନ୍ତେ ସେ ଏହି ଦାରୁ ରୂପ ଧାରଣ କରିଛନ୍ତି। ଏଣୁ ଏହି ତିନି ଦିନ ସେ ଯେଉଁ ଦୀପଦାନ କରନ୍ତି- ତାହା ନିଜର ବାମନ ଅବତାରର ପିତାମାତା କଶ୍ୟପ ଓ ଅଦିତି, ଶ୍ରୀରାମ ଅବତାରର ପିତାମାତା- ଦଶରଥ ଓ କୌଶଲ୍ୟା, ଶ୍ରୀକୃଷ୍ଣ ସ୍ୱରୂପର ପିତାମାତା- ନନ୍ଦ ଓ ଯଶୋଦା ଏବଂ ଦେବକୀ ଓ ବସୁଦେବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥାଏ। ଦାରୁବ୍ରହ୍ମ ରୂପରେ, ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ମଧ୍ୟ ସେ ଦୀପଦାନ କରିଥାନ୍ତି।

ଏହି ଦେବ ଦୀପାବଳି ନୀତିରେ, ପ୍ରତି ମାସର ଏକାଦଶୀ ଦିନର ନୀତି ପରି ମହାଦୀପ ଆଳତି ହୁଏ ଏବଂ ମହାଦୀପ ଶ୍ରୀମନ୍ଦିରର ଅଁଳା ବେଢ଼ ଉପରକୁ ଉଠେ। ମହାଦୀପ ଶ୍ରୀମନ୍ଦିର ଉପରକୁ ନିଆଯିବା ସମୟରେ, ଶ୍ରୀନୀଳଚକ୍ରଙ୍କ ପାଇଁ ଚନ୍ଦନ ଓ ତୁଳସୀ ମଧ୍ୟ ନିଆଯାଇଥାଏ। ଯେଉଁ ସେବକ ଏହି ମହାଦୀପ ନିଅନ୍ତି ତାଙ୍କୁ ‘ଗରୁଡ଼ ସେବକ’ କୁହାଯାଏ। ତାଙ୍କର ଅନ୍ୟନାମ ‘ଚୂନରା ସେବକ’। ଏହି ସେବକ ତୁଳସୀ ଓ ଚନ୍ଦନ ଶ୍ରୀନୀଳଚକ୍ରଙ୍କୁ ଲାଗି କରନ୍ତି। ଦଧିନଉତି ତଳେ ଦଣ୍ଡାୟମାନ ହୋଇ ମହାଦୀପ ଓ ଚନ୍ଦ୍ରଉଦିଆ ଜାଳନ୍ତି। ଅଁଳା ବେଢ଼ ଉପରେ ତିନିଥର ପରିକ୍ରମା କରିଥାଆନ୍ତି।

ଏହି ପରିକ୍ରମା ସମୟରେ ଗରୁଡ଼ସେବକ ଉଚ୍ଚସ୍ୱରରେ ଗଜପତି ମହାରାଜାଙ୍କୁ ଶଙ୍ଖେ ପୂରାଇ ଚକ୍ର ଆଢ଼ୁଆଳ କରି ରଖିବା ପାଇଁ ଶ୍ରୀଜଗନ୍ନାଥଙ୍କୁ ନିବେଦନ କରନ୍ତି ଏବଂ “ହରି ବୋଲି ବୋଲ ହେ… ହରି ବୋଲି ବୋଲ ହେ… ହରିବୋଲ ବୋଲ ହେ। ମହାପ୍ରଭୁ! ସଂସାର ସୁଖୀ ରହୁ। ହରିବୋଲି ବୋଲ ହେ…” କହିଥାଆନ୍ତି।

ଏପରି ଭାବରେ ସାରା ସଂସାରର ମଙ୍ଗଳକାମନା, ଆମର ଆର୍ଷବାକ୍ୟ “ଲୋକାଃ ସମସ୍ତାଃ ସୁଖିନୋ ଭବନ୍ତୁ।”ର ଏକ ପ୍ରତିଧ୍ୱନି। ଏଥିରେ ରହିଛି ମହାପ୍ରଭୁ ଭାବରେ, ଶ୍ରୀଜଗନ୍ନାଥଙ୍କ ନାମର ପ୍ରକୃତ ସାର୍ଥକତା।

The post ଶ୍ରୀଜଗନ୍ନାଥଙ୍କ ନାମର ପ୍ରକୃତ ସାର୍ଥକତା: ସଂସାର ସୁଖୀ ରହୁ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3lsu3RG

Post a Comment

0 Comments