
ଫାଲଗୁନ ମାସ ଶୁକ୍ଳପକ୍ଷ ଏକାଦଶୀ ‘ଆମଳକୀ ଏକାଦଶୀ’ ଭାବରେ ଖ୍ୟାତ। ଏହାର ସଂସ୍କୃତ ନାମ ‘ଆମର୍ଦ୍ଦକୀ ଏକାଦଶୀ’। ଏଥିରେ ଅଁଳା ବୃକ୍ଷକୁ ଶ୍ରଦ୍ଧା ଓ ଭକ୍ତିର ସହିତ ପୂଜା କରାଯାଏ। ଭଗବାନ ପର୍ଶୁରାମଙ୍କର ପୂଜା ମଧ୍ୟ ଏଥିରେ କରାଯିବାର ବିଧି ରହିଛି।
ଅଁଳା ବୃକ୍ଷର ମହିମା ସଂପର୍କରେ ଶାସ୍ତ୍ର, ପୁରାଣଗୁଡ଼ିକରେ ପ୍ରଚୁର ପ୍ରଶସ୍ତି ଅଛି। ଗୋଟିକରେ କୁହାଯାଇଛି- ଏହା ଏପରି ଏକ ମହାବୃକ୍ଷ, ଯାହାର ମୂଳରେ ବିଷ୍ଣୁ, ମୂଳର ଊର୍ଦ୍ଧ୍ୱରେ ବ୍ରହ୍ମା, ସ୍କନ୍ଦରେ ପରମେଶ୍ୱର ରୁଦ୍ର, ଶାଖାରେ ମୁନିଗଣ, ପ୍ରଶାଖାରେ ଦେବତାବୃନ୍ଦ, ପତ୍ରରେ ଅଷ୍ଟବସୁ, ପୁଷ୍ପରେ ମରୁତ୍ଗଣ ଏବଂ ଫଳରେ ପ୍ରଜାପତିମାନେ ଅବସ୍ଥିତ। ଏ ଦୃଷ୍ଟିରୁ ଏହି ମହାବୃକ୍ଷ ଅଁଳା ‘ସର୍ବଦେବମୟୀ’ ବୋଲି କଥିତ ହୋଇଥାଏ।
ଆମଳକୀ ଏକାଦଶୀର ଉପାଖ୍ୟାନ ଅନୁସାରେ- ପ୍ରାଚୀନ କାଳରେ ବୈଦେଶିକ ନାମରେ ଜଣେ ରାଜା ଥିଲେ। ସେ ଏହି ଏକାଦଶୀ ଦିନ ଅଁଳାବୃକ୍ଷକୁ ପୂଜା କରିବା ସହିତ, ସଂଧ୍ୟାରେ ଘଟସ୍ଥାପନ କରି, ସାରା ରାତି ଉଜାଗର ରହି ଭଗବାନ ପର୍ଶୁରାମଙ୍କୁ ପୂଜା କରୁଥିଲେ। ଜଣେ ବ୍ୟାଧ, ସାରାରାତି ଉଜାଗର ରହି ଭଗବାନ ପର୍ଶୁରାମଙ୍କୁ ଦର୍ଶନ କରି ଆଗ୍ରହ ଓ ଭକ୍ତିର ସହିତ ସେହି ପୂଜା ଦେଖୁଥିଲା। ସେହି ବ୍ରତ ଓ ପୂଜାର ଫଳ ବୈଦେଶିକ ରାଜା ତ ପାଇଲେ; କିନ୍ତୁ ସେହି ପୂଜାବିଧି ଦର୍ଶନ କରୁଥିବା ବ୍ୟାଧ ମଧ୍ୟ ତାହାର ଫଳ ପାଇଲା। ସେ ପରଜନ୍ମରେ ଜୟନ୍ତୀ ନଗରରେ ରାଜା ବିଦୁରଙ୍କର ପୁତ୍ର ବସୁରଥ ରୂପେ ଜନ୍ମ ନେଇ ରାଜା ହେବାର ସୌଭାଗ୍ୟ ଲାଭ କଲା।
ବିଶ୍ୱାସ ଅଛି ଯେ ଏହି ବ୍ରତ ପାଳନ କଲେ ସାତ ଜନ୍ମର ପାପମୋଚନ ହୋଇଥାଏ। ସମସ୍ତ କାର୍ଯ୍ୟରେ ବିଜୟ ଲାଭ ସହିତ, ମୃତ୍ୟୁ ପରେ ବୈକୁଣ୍ଠ ପ୍ରାପ୍ତି ହୁଏ। ବ୍ରତପାଳନକାରୀଙ୍କର ପିତୃକୁଳ ଓ ମାତୃକୁଳର ମଙ୍ଗଳ ହୁଏ।
କିନ୍ତୁ ଏହି ବ୍ରତ ସହ ଜଡ଼ିତ ଉପାଖ୍ୟାନଟିର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ହେଉଛି- ଜଣେ ନିଜେ ପୂଜା ବା ବ୍ରତ ନ କରି, ଭଗବାନଙ୍କୁ ଦର୍ଶନ କରିବା ସହିତ ଆଗ୍ରହ ଓ ଭକ୍ତି ସହକାରେ ଅନ୍ୟର ପୂଜା ବା ବ୍ରତ ପାଳନକୁ ନିରୀକ୍ଷଣ କଲେ ମଧ୍ୟ, ପୂଜା ଓ ବ୍ରତ ପାଳନର ସୁଫଳ ଲାଭ କରିଥାଆନ୍ତି।
The post ଆମଳକୀ ଏକାଦଶୀ first appeared on Sambad.from ଜୀବନଚର୍ଯ୍ୟା | Sambad https://ift.tt/3vFgS39
0 Comments