‘ପୂର୍ଣ୍ଣିମା-ପୁରୁଷ’ଙ୍କ ଜୀବନଗାଥା

ଗୌତମବୁଦ୍ଧ ପୂର୍ଣ୍ଣିମା-ପୁରୁଷ। କାରଣ, ତାଙ୍କର ଜନ୍ମ, ବୋଧିପ୍ରାପ୍ତି ଓ ମହାନିର୍ବାଣ ଗୋଟିଏ ପୂର୍ଣ୍ଣିମାରେ ହୋଇଥିଲା ଏବଂ ସେ ପୂର୍ଣ୍ଣିମାଟି ଥିଲା ବୈଶାଖ ପୂର୍ଣ୍ଣିମା। ଏପରି ସଂଯୋଗ ଆମ ଦେଶର ଅନ୍ୟ କୌଣସି ମହାପୁରୁଷଙ୍କ କ୍ଷେତ୍ରରେ ଘଟିନାହିଁ।
କିନ୍ତୁ ବିସ୍ମୟଜନକ ବିଷୟ ଏହି ଯେ ବୁଦ୍ଧଦେବଙ୍କ ଜୀବନର ଅନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣା ବି ପୂର୍ଣ୍ଣିମା ସହ ଜଡ଼ିତ।
ତାଙ୍କର ଜନ୍ମପୂର୍ବର ଘଟଣା। ସେଦିନଟି ଥିଲା ଆଷାଢ଼ ପୂର୍ଣ୍ଣିମା। ସେଦିନ ଶାକ୍ୟ ରାଜପ୍ରସାଦର ଗଜଦନ୍ତ ପଲଙ୍କରେ ସୁଖନିଦ୍ରାରେ ଶୋଇଥିବା ବେଳେ, ରାଣୀ ମହାମାୟା ଗୋଟିଏ ଅଦ୍ଭୁତ ସ୍ୱପ୍ନ ଦେଖିଲେ। ସେ ଦେଖିଲେ, ଚାରି ଦିଗପାଳ ଚାରିଦିଗରୁ ଆସି ପଲଙ୍କ ସହିତ ତାଙ୍କୁ ଉଠାଇନେଇ ହିମାଳୟ ପର୍ବତର ଏକ ରତ୍ନଖଚିତ ପଥର ଉପରେ, ଏକ ବିଶାଳ ଶାଳଗଛ ମୂଳେ ଥୋଇ ଦେଉଛନ୍ତି। ଗୋଟିଏ ସୁନ୍ଦର ଧଳାହାତୀ ତାର ଶୁଣ୍ଢରେ ଗୋଟିଏ ଧଳା ଫୁଲ ଧରି, ତାଙ୍କ ପଲଙ୍କ ଚାରିପାଖରେ ବୁଲିବା ପରେ, ସେହି ଧଳା ଫୁଲଟିରେ ରାଣୀଙ୍କୁ ଛୁଇଁଦେଇ ତାଙ୍କର ଗର୍ଭ ଭିତରେ ପଶିଯାଉଛି।
ପଣ୍ଡିତମାନେ ରାଜା ଶୁଦ୍ଧୋଦନଙ୍କୁ ସେହି ସ୍ୱପ୍ନର ଫଳ ଗଣନା କରି କହିଥିଲେ ଯେ ରାଣୀ ମହାମାୟାଙ୍କର ଗର୍ଭାଧାନ ହୋଇଛି ଏବଂ ସେ ଏକ ଦିବ୍ୟ ପୁତ୍ରସନ୍ତାନର ଜନନୀ ହେବେ।

ସେହି ଅନୁସାରେ, ବୈଶାଖ ପୂର୍ଣ୍ଣିମା ତିଥିରେ ବୁଦ୍ଧଦେବ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଭବିଷ୍ୟତର ପତ୍ନୀ ଯଶୋଧାରା, ଅନୁଚର ଛନ୍ଦକ ଓ ଅଶ୍ୱ କନ୍ଥକ ମଧ୍ୟ ସେହି ତିଥିରେ ଜନ୍ମଗ୍ରହଣ କରିଥିଲେ। ଏପରିକି ଯେଉଁ ବୋଧିଦ୍ରୁମ ତଳେ ଧ୍ୟାନସ୍ଥ ଥାଇ ସେ ବୋଧିପ୍ରାପ୍ତ ହେଲେ, ସେହି ବୋଧିଦ୍ରୁମର ଜନ୍ମ ମଧ୍ୟ ସେହି ପୂର୍ଣ୍ଣିମା ତିଥିରେ ହୋଇଥିଲା।

ଗୌତମବୁଦ୍ଧଙ୍କ ଜୀବନରେ ପୂର୍ଣ୍ଣିମା ତିଥିର ଆଉ ଏକ ବିସ୍ମୟଜନକ ସଂଯୋଗ ହେଉଛି- ଯେଉଁଦିନ ସେ ପତ୍ନୀ ଯଶୋଧାରା ଓ ପୁତ୍ର ରାହୁଳଙ୍କୁ ଛାଡ଼ି ଜ୍ଞାନର ଅନ୍ୱେଷଣରେ ବାହାରି ଯାଇଥିଲେ, ସେଦିନଟି ମଧ୍ୟ ଥିଲା ଆଷାଢ଼ ପୂର୍ଣ୍ଣିମା।

ବୁଦ୍ଧଦେବଙ୍କ ଜୀବନରେ ଆଉ ଗୋଟିଏ ପୂର୍ଣ୍ଣିମାର ମଧ୍ୟ ବିସ୍ମୟକର ସଂଯୋଗ ରହିଛି। ସେ ପୂର୍ଣ୍ଣିମାଟି ହେଉଛି ମାଘ ପୂର୍ଣ୍ଣିମା। ସେଦିନ ସେ ତାଙ୍କର ପ୍ରିୟ ଶିଷ୍ୟ ଆନନ୍ଦଙ୍କ ଆଗରେ ସଂକଳ୍ପ କରି କହିଥିଲେ ଯେ ଠିକ୍ ତିନି ମାସ ପରେ, ବୈଶାଖ ପୂର୍ଣ୍ଣିମା ତିଥିରେ ତାଙ୍କର ମହାନିର୍ବାଣ ଘଟିବ। ତାହାହିଁ ହୋଇଥିଲା। ହିରଣ୍ୟବତୀ ନଦୀର ପରପାରିରେ ଥିବା, ମଲ୍ଲମାନଙ୍କର ଉପବର୍ତ୍ତନ ଶାଳବନରେ, ବୈଶାଖପୂର୍ଣ୍ଣିମାରେ ହିଁ ତାଙ୍କର ମହାପରିନିର୍ବାଣ ଘଟିଥିଲା।

The post ‘ପୂର୍ଣ୍ଣିମା-ପୁରୁଷ’ଙ୍କ ଜୀବନଗାଥା first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3v1B0M9

Post a Comment

0 Comments