ମୋହିନୀ ଏକାଦଶୀ

ବୈଶାଖ ଶୁକ୍ଳ ଏକାଦଶୀର ନାମ ‘ମୋହିନୀ ଏକାଦଶୀ’। ପୌରାଣିକ ଉପାଖ୍ୟାନ ଅନୁସାରେ, ଏହିଦିନ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରିଥିଲେ। କିନ୍ତୁ ମୋହିନୀ ଏକାଦଶୀ ବ୍ରତକଥାରେ ଜଣେ ଚଣ୍ଡାଳ ରାଜା ଓ ଆଉ ଜଣେ ମୋହିନୀ ରାଣୀଙ୍କ କାହାଣୀ ଅଛି। ସେ କାହାଣୀ ଅତ୍ୟନ୍ତ ରୋଚକ।

ବ୍ରତକଥା ଅନୁସାରେ, ଅବନ୍ତୀ ନଗରୀରେ ଥିଲେ ଜଣେ ଚଣ୍ଡାଳ ରାଜା। ସେ ନିଷ୍ଠାର ସହ ମୋହିନୀ ଏକାଦଶୀ ପାଳନ କରୁଥିଲେ। ଦଶମୀ ଦିନର ଅଧିବାସ, ଏକାଦଶୀ ଦିନର ନିରାହାର ଓ ଦ୍ୱାଦଶୀ ଦିନର ପାରଣା ତାହାର ଅନ୍ତର୍ଭୁକ୍ତ ଥିଲା। ଏହିପରି ଭାବରେ ବ୍ରତ ପାଳନ କରିବା ପରେ, ଦ୍ୱାଦଶୀ ଦିନ ତାଙ୍କର ମୃତ୍ୟୁ ଘଟିଲା।

ଏହି ଏକାଦଶୀ ବ୍ରତ ପାଳନ ପୂର୍ବରୁ, ଚଣ୍ଡାଳ ରାଜା ଅନେକ ପାପକର୍ମ କରିଥିଲେ। ତେଣୁ ମୃତ୍ୟୁ ପରେ ଯମଦୂତମାନେ ତାଙ୍କୁ ନେଇଯିବାକୁ ଆସିଲେ। କିନ୍ତୁ ସେ ଏକାଦଶୀ ପାଳନର ପୁଣ୍ୟ କରିଥିବାରୁ, ବିଷ୍ଣୁଦୂତମାନେ ଆସି ଯମଦୂତଙ୍କୁ ଘଉଡ଼ାଇ ଦେଲେ ଏବଂ ତାଙ୍କୁ ବୈକୁଣ୍ଠ ଲୋକକୁ ନେଇଗଲେ।

ଏଥିରେ ଯମରାଜ ଅପମାନିତ ବୋଧକଲେ। ନାରଦ ତାହା ଜାଣି ତାଙ୍କୁ ବ୍ରହ୍ମାଙ୍କ ପାଖକୁ ନେଇଗଲେ। ଯମରାଜ ବ୍ରହ୍ମାଙ୍କ ପାଖରେ ଅଭିଯୋଗ କଲେ ଯେ, ଚଣ୍ଡାଳ ରାଜାଙ୍କ ଘଟଣା ଏଇ ପ୍ରଥମ ନୁହେଁ। ଏପରିକି, ରୁକ୍‌ଣାଗତ ରାଜ୍ୟରେ ଛୋଟ ଶିଶୁଟିଏ ମରିବା ପରେ, ତାକୁ ଆଣିବାକୁ ଯାଇ ଯମଦୂତମାନେ ବିଷ୍ଣୁଦୂତଙ୍କ ଦ୍ୱାରା ଏପରି ହଟହଟା ହୋଇଛନ୍ତି। ଯମଦୂତଙ୍କୁ ଘଉଡ଼ାଇ ବିଷ୍ଣୁଦୂତମାନେ ଶିଶୁଟିକୁ ବୈକୁଣ୍ଠ ଲୋକକୁ ଘେନିଯାଇଛନ୍ତି।

ବ୍ରହ୍ମା ଜାଣିଲେ ଯେ ତାହା ରାଜାଙ୍କ ଏକାଦଶୀ ପାଳନର ପୁଣ୍ୟ ଯୋଗୁଁ ହୋଇଛି। ନାରଦ କହିଲେ, ଯଦି ତାଙ୍କର ବ୍ରତ ଭଙ୍ଗ ନ କରାଯାଏ, ତେବେ ସେ ସ୍ୱଦେହରେ ବୈକୁଣ୍ଠ ଲୋକକୁ ଚାଲି ଆସିବେ।

ଏହା ଜାଣି ବ୍ରହ୍ମା ଯଜ୍ଞରୁ ଏକ ଅପରୂପା ମୋହିନୀ କନ୍ୟା ସୃଷ୍ଟି କଲେ। ନାରଦ କୌଶଳ କରି ତାଙ୍କୁ ରାଜାଙ୍କ ସହ ବିବାହ କରାଇ ଦେଲେ। ସର୍ତ୍ତ ରହିଲା ଯେ ମୋହିନୀ ଯାହା ମାଗିବେ ରାଜା ତାହା ଦେବେ।

ଦିନେ ରାଜା ଏକାଦଶୀ ବ୍ରତ ପାଳନ ପାଇଁ ପ୍ରସ୍ତୁତ ଥିବାବେଳେ, ଦଶମୀ ଦିନ ହିଁ ମୋହିନୀ ରାଜାଙ୍କର ଅଙ୍ଗସଙ୍ଗ ଚାହିଁଲେ। ରାଜା ଯେତେ ବୁଝାଇଲେ ମଧ୍ୟ ବୁଝିଲେ ନାହିଁ। ପ୍ରତିବଦଳରେ ତାଙ୍କ ପୁତ୍ରର ମସ୍ତକ ମାଗିଲେ। ରାଜା ଖଣ୍ଡାଧରି ପୁତ୍ରର ଶିରଚ୍ଛେଦ ପାଇଁ ଉଦ୍ୟତ ହେବାରୁ ବୈକୁଣ୍ଠ ପ୍ରକମ୍ପିତ ହେଲା। ବିଷ୍ଣୁଙ୍କ ନିର୍ଦ୍ଦେଶରେ ବିଷ୍ଣୁଦୂତମାନେ ଆସି ତାଙ୍କୁ ଓ ରାଜ୍ୟର ସବୁ ପ୍ରଜାଙ୍କୁ ବୈକୁଣ୍ଠଲୋକକୁ ନେଇଗଲେ। ରାଣୀ ମୋହିନୀ, ରାଜାଙ୍କର ପୁଣ୍ୟଶରୀର ସ୍ପର୍ଶ କରିଥିବାରୁ ସେ ମଧ୍ୟ ବୈକୁଣ୍ଠ ଲୋକ ପ୍ରାପ୍ତ ହେଲେ।

The post ମୋହିନୀ ଏକାଦଶୀ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3fOQVHt

Post a Comment

0 Comments