ବାଲୁକାଲିଙ୍ଗ-ବାଲିତୃତୀୟା

ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଏକ ବ୍ରତ ପାଳନ କରାଯାଏ। ଭାରତର ବିଭିନ୍ନ ପ୍ରଦେଶରେ ବିଭିନ୍ନ ନାମରେ ଏହି ବ୍ରତ ପାଳିତ ହୁଏ। ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଆଦିରେ ଏହାକୁ ‘ହରିୟାଲିତିଜ୍‌’, ‘କାଜରୀତିଜ’, ‘ହରିତାଲିକାତିଜ’ ଆଦି ନାମରେ ନାମିତ କରାଯାଇଥିବାବେଳେ, ଦକ୍ଷିଣ ଭାରତରେ ଏହାକୁ ‘ଗୌରୀହବା’ ବା ‘ସ୍ବର୍ଣ୍ଣଗୌରୀ ବ୍ରତ’ ଭାବରେ ପାଳନ କରାଯାଇଥାଏ। ଓଡ଼ିଶାରେ ଏହାକୁ ‘ବାଲିତୃତୀୟା’ ବ୍ରତ କହନ୍ତି।

ଏହି ବ୍ରତ କଥା ଅନୁଯାୟୀ, ପାର୍ବତୀ ଶିବଙ୍କୁ ପତି ରୂପେ ପାଇବାକୁ ଇଚ୍ଛା କରୁଥିଲେ। କିନ୍ତୁ ନାରଦଙ୍କ ଉପଦେଶ ଅନୁସାରେ, ପିତା ହିମାଳୟ କନ୍ୟା ପାର୍ବତୀଙ୍କୁ ବିଷ୍ଣୁଙ୍କୁ ସମର୍ପଣ କରିବାକୁ ମନସ୍ଥକଲେ। ପାର୍ବତୀ ଏଥିରେ ମର୍ମାହତ ହୋଇ ତାଙ୍କର ପ୍ରିୟ ସଖୀର ପରାମର୍ଶ ଲୋଡ଼ିଲେ। ସଖୀର ପରାମର୍ଶ ଅନୁସାରେ, ପିତାଙ୍କ ଅଜ୍ଞାତସାରରେ, ପାର୍ବତୀ ସଖୀ ସହିତ ହି˚ସ୍ର ଓ ପଶୁସ˚କୁଳ ଘନଅରଣ୍ୟ ମଧ୍ୟରେ ପ୍ରବେଶ କଲେ ଏବ˚ ନଦୀ ତଟରେ ବାଲୁକାରେ ଶିବଲିଙ୍ଗ ନିର୍ମାଣ କରି ଘୋର ତପସ୍ୟାରତ ରହିଲେ। ପାର୍ବତୀଙ୍କ ତପସ୍ୟାରେ ତୁଷ୍ଟ ହୋଇ ଶିବ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେବାରୁ, ପାର୍ବତୀ ପୂଜନୀୟ ସମସ୍ତ ବସ୍ତୁ ନଦୀଜଳରେ ବିସର୍ଜନ କରି ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ କଲେ।

ଏଣୁ ସଧବା ନାରୀମାନେ ସ୍ବାମୀଙ୍କର ମଙ୍ଗଳ କାମନା କରି ଏବ˚ କୁମାରୀକନ୍ୟାମାନେ ଶିବଙ୍କ ସଦୃଶ ପତି ପ୍ରାପ୍ତି ନିମିିତ୍ତ ଏହି ବ୍ରତ ପାଳନ କରିଥାନ୍ତି। ଏହି ବ୍ରତର ଉପାସ୍ୟ ହେଉଛନ୍ତି- ବାଲିରେ ନିର୍ମିତ ଶିବଲିଙ୍ଗ। ପ୍ରଥା ଅନୁଯାୟୀ, ବ୍ରତଚାରିଣୀମାନେ ପ୍ରଭାତରୁ ଉଠି ସ୍ନାନ ନିମନ୍ତେ ନଦୀକୁ ଯାଇଥାନ୍ତି। ସ୍ନାନ ପରେ, ସେହି ନଦୀଘାଟରୁ କିଛି ଓଦା ବାଲି ଆଣି ଚଉରାମୂଳେ ଶିବଲିଙ୍ଗ ସ୍ଥାପନ କରି ତାଙ୍କୁ ପୂଜାଅର୍ଚ୍ଚନା କରନ୍ତି। ଶିବଲିଙ୍ଗରେ ଫୁଲ, ବେଲପତ୍ର, ଶମିପତ୍ର ଆଦି ଦେବା ସହିତ ବିଭିନ୍ନ ପ୍ରକାର ଫଳ, ଲଡୁ, ଉଖୁଡ଼ା ପ୍ରଭୃତି ନୈବେଦ୍ୟ ପ୍ରଦାନ କରନ୍ତି। ଶିବଲିଙ୍ଗ ପାଖରେ ବସି ବ୍ରତକଥା ପାଠ କରନ୍ତି। ବ୍ରତ ଶେଷରେ କେବଳ ପାଦୁକ ଗ୍ରହଣ କରାଯାଏ। ଖାଦ୍ୟ ନିଷେଧ। ସ˚ପୂର୍ଣ୍ଣ ଦିନ ଓ ରାତି କାଷ୍ଠା ଉପବାସ କରିବାକୁ ହୁଏ। କଥିତ ଅଛି, ରାବଣବଧ ସମୟରେ ରାମଚନ୍ଦ୍ର ମଧ୍ୟ ବାଲୁକାରେ ଶିବଲିଙ୍ଗ ସ୍ଥାପନ କରି ଶିବଙ୍କୁ ପୂଜନ କରିଥିଲେ। ସେଥିରେ ଶିବଙ୍କୁ ପ୍ରସନ୍ନ କରି ସେ ରାବଣ ନିଧନରେ ସମର୍ଥ ହୋଇଥିଲେ।

ଡକ୍ଟର ତୁଳସୀ ଓଝା

The post ବାଲୁକାଲିଙ୍ଗ-ବାଲିତୃତୀୟା first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3DIMvwH

Post a Comment

0 Comments