ମହାନବମୀ ଓ ଦଶହରା

ଦୁର୍ଗା ପୂଜା ସମଗ୍ର ଭାରତବର୍ଷରେ ପାଳିତ ହେଉଥିବା ଏକ ମହାପାର୍ବଣ। ଆଶ୍ୱିନ ମାସ ଶୁକ୍ଳ ପ୍ରତିପଦାଠାରୁ ଆରମ୍ଭ ହୋଇ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ପୂଜା ସମ୍ପାଦନ କରାଯାଇଥାଏ। କିଂବଦନ୍ତି ଅନୁଯାୟୀ ମହିଷାସୁରର ଅତ୍ୟାଚାର ଅସହ୍ୟ ହେବାରୁ ଦେବତାମାନେ ଦୁର୍ଗାଙ୍କୁ ଆବାହନ କରିଥିଲେ ଏବଂ ଦୁର୍ଗା ସିଂହବାହିନୀ ସାଜି ମହିଷାସୁରର ବଧ କରିଥିଲେ। ଆଶ୍ୱିନ ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣରେ ଦେବୀ ଦୁର୍ଗା ମହିଷାସୁରକୁ ନିପାତ କରିଥିବାରୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ।

ନବମୀ ରାତିର ଅନ୍ଧକାର ସହିତ ଅସୁର ବଂଶ ନିପାତ ଫଳରେ ତିନିଲୋକରୁ ଅମଙ୍ଗଳର ଛାୟା ଅପସରି ଯାଇଥିଲା। ତେଣୁ ନବମୀର ପରବର୍ତ୍ତୀ ଦିନଠାରୁ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହେଲା ବୋଲି ବିଶ୍ୱାସ ରହିଛି। ଆଦିକବି ସାରଳା ଦାସଙ୍କ ‘ଚଣ୍ଡୀପୁରାଣ’ରେ ଉଲ୍ଲେଖ ରହିଛି ଯେ ଏହି ଦିନ ଜଗତର ଦୁଃଖ ହରଣ ହୋଇଥିବାରୁ ଏହା ଦୁଃଖହା ଦଶମୀ ନାମରେ ମଧ୍ୟ ପ୍ରସିଦ୍ଧ। ଦଶହରା ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ରାବଣର ବଧ ପାଇଁ ଲଙ୍କା ଅଭିମୁଖେ ବିଜୟଯାତ୍ରା ଆରମ୍ଭ କରିଥିଲେ। ତେଣୁ ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟର ଉତ୍ସବ ଭାବେ ପାଳନ କରାଯାଏ ଯାହା ବିଜୟା ଦଶମୀ ଭାବେ ମଧ୍ୟ ସୁପରିଚିତ। ଦଶହରା ଦିନ ରାବଣ ପୋଡ଼ି ଆୟୋଜନର ପରମ୍ପରା ପ୍ରଚଳିତ।

The post ମହାନବମୀ ଓ ଦଶହରା first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3AENpaS

Post a Comment

0 Comments