
ଶରୀରରେ ଆୟୋଡିନର ଅତ୍ୟନ୍ତ ଆବଶ୍ୟକତା ରହିଛି। ଜଣେ ବ୍ୟକ୍ତି ଜଳ ଓ ଖାଦ୍ୟ ମାଧ୍ୟମରେଏହା ଗ୍ରହଣ କରିଥାଏ। ଏହାର ଅଭାବରେ ଅନେକ ପ୍ରକାରର ଅସୁବିଧା ହୋଇଥାଏ। ତନ୍ମଧ୍ୟରୁ ଗଳଗଣ୍ଡ କେବଳ ଆଖିକୁ ଦେଖାଯାଉଥିବା ଏକ ସମସ୍ୟା। ଆୟୋଡିନ ଦୁଇ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ହର୍ମୋନ ଯଥା ଟି-୩୩ (triiodothyronine) ଏବଂ ଟି-୪ (thyroxine) ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଏହି ଦୁଇ ହର୍ମୋନ ଶରୀର ଗଠନ ଏବଂ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଖାଦ୍ୟରେ କମ ପରିମାଣର ଆୟୋଡିନ ଗ୍ରହଣ ଦ୍ୱାରା ମୁଖ୍ୟତଃ ଆୟୋଡିନ ଅଭାବଜନିତ ସମସ୍ୟା ଦେଖାଦିଏ। କ୍ୟାଲସିୟମ, ଆଇରନ, ଭିଟାମିନ ଭଳି ଆୟୋଡିନ ଖାଦ୍ୟରେ ନଥାଏ। ମାଟିର ଆୟୋଡିନ ପରିମାଣ ଉପରେ ଏହା ନିର୍ଭର କରିଥାଏ। ଯେଉଁ ମାଟିରେ ଆୟୋଡିନ କମଥାଏ ସେଠାରେ ହେଉଥିବା ଫସଲରେ ମଧ୍ୟ ଆୟୋଡିନ ପରିମାଣ କମରହେ। ବର୍ଷାଧିକ କାଳ ବର୍ଷା, ଜଙ୍ଗଲ କ୍ଷୟ, ମୃତ୍ତିକା କ୍ଷୟ ଆଦି ଦ୍ୱାରା ଆୟୋଡିନର ପରିମାଣ ମାଟିରେ କ୍ରମଶଃ କମିଥାଏ। ତେଣୁ ସମୟକ୍ରମେ ଆୟୋଡିନ ଅଭାବଜନିତ ସମସ୍ୟା ଅଧିକ ଦେଖା ଦେଇଥାଏ।
ମନୁଷ୍ୟ ଶରୀରରେ ଆୟୋଡିନ ଅଭାବରୁ ବିଭିନ୍ନ ସମସ୍ୟା ସୃଷ୍ଟି ହୁଏ। ଏହା ଦ୍ବାରା ଗର୍ଭସ୍ଥ ଶିଶୁର ମାନସିକ ବିକାଶରେ ବାଧା ଓ ମାନସିକ ଅନଗ୍ରସର ଶିଶୁ ଜନ୍ମହେବା ସମ୍ଭାବନା ଥାଏ। ମୃତ ଶିଶୁ ଜନ୍ମ ହେବା, ବାରମ୍ବାର ଗର୍ଭପାତ ହେବା, ଜନ୍ମ ପରେ ଶୀଘ୍ର ମୃତ୍ୟୁହେବା, ଶ୍ରେଣୀରେ ଭଲ ପ୍ରଦର୍ଶନ ନକରିବା, ବାରମ୍ବାର ଫେଲ ହେବା ଓ ସ୍କୁଲ ଛାଡିଦେବା ମଧ୍ୟ ଆୟୋଡିନ ଅଭାବର କାରଣ। ଆୟୋଡିନ ଅଭାବ ଥିବା ଅଂଚଳର ଶିଶୁଙ୍କ ପ୍ରାୟଃ ୧୩ IQ point କମଥାଏ। ବୟସ୍କମାନେ ସର୍ବଦା କ୍ଲାନ୍ତ ଅନୁଭବ କରିଥାନ୍ତି ଯାହା ତାଙ୍କର କାର୍ଯ୍ୟ ଦକ୍ଷତା ଉପରେ ପ୍ରଭାବ ପକାଇଥାଏ। ଏଭଳି ସମସ୍ୟାରୁ ମୁକୁଳିବା କଷ୍ଟକର। ଭାରତରେ ଆୟୋଡିନ ଅଭାବ ଏକ ସାଧାରଣ ସମସ୍ୟା ଏବଂ ଅଧିକାଂଶ ରାଜ୍ୟ ଏଥିରୁ ମୁକ୍ତ ହୋଇନାହାନ୍ତି। ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-୪: ୨୦୧୫-୧୬) ଅନୁଯାୟୀ ଓଡିଶାରେ ୯୩ % ଆୟୋଡିନଯୁକ୍ତ ଲୁଣ ବ୍ୟବହାର କରୁଛନ୍ତି ଯାହା ପୂର୍ବ ସର୍ବେକ୍ଷଣର ମାତ୍ର ୭୬% ଥିଲା (NFHS-୩:୨୦୦୫-୦୬)। ସାମାଜିକ ଏବଂ ଅର୍ଥନୈତିକ ଅନଗ୍ରସର ଗୋଷ୍ଠୀ କ୍ଷେତ୍ରରେ ଆୟୋଡିନଯୁକ୍ତ ଲୁଣର କମ ବ୍ୟବହାର ଦେଖାଦେଇଛି। ଭାରତ ଯଦିଓ ଏ କ୍ଷେତ୍ରରେ ପ୍ରଗତି କରିଛି, ତଥାପି ସେଇ ଶେଷ ମାଇଲଟି ଅତିକ୍ରମ କରିବା ବାକିଅଛି।
ଆୟୋଡିନ ଅଭାବ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାର କାରଣ ହୋଇଥିଲେ ମଧ୍ୟ ଦୈନନ୍ଦିନ ଜୀବନରେ ଆୟୋଡିନଯୁକ୍ତ ଲୁଣ ବ୍ୟବହାର ଦ୍ୱାରା ଏହି ସମସ୍ୟାର ପ୍ରତିକାର ହୋଇପାରିବ। ଜାତିସଂଘ ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟରେ ଅପପୁଷ୍ଟିଜନିତ ସମସ୍ୟାର ନିରାକରଣ ଦିଗରେ କାର୍ଯ୍ୟ କରିବା ପାଇଁ ଚୁକ୍ତିବଦ୍ଧ। ବିଶ୍ୱରୁ କ୍ଷୁଧା ଏବଂ ଦାରିଦ୍ର୍ୟ ଦୂରୀକରଣ କେବଳ ମୂଳଲକ୍ଷ୍ୟ ନୁହେଁ। ଏଥି ସହିତ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବାର ମଧ୍ୟ ଗୁରୁତ୍ୱ ରହିଛି। ଆନ୍ତର୍ଜାତିକସ୍ତରରେ ଅନେକ ଦେଶ ଆୟୋଡିନଜନିତ ସମସ୍ୟାର ନିରାକରଣ ପାଇଁ ଚୁକ୍ତିପତ୍ର ସ୍ଵାକ୍ଷର କରିଛନ୍ତି। ଭାରତ ମଧ୍ୟ ଏହି ଚୁକ୍ତିନାମାରେ ସ୍ଵାକ୍ଷର କରିଛି।
ଭାରତ ସରକାର ଆୟୋଡିନ ଅଭାବଜନିତ ସମସ୍ୟାର ଦୂରୀକରଣ ନିମନ୍ତେ ସାର୍ବଜନୀନ ଆୟୋଡିନଯୁକ୍ତ ଲୁଣ ବ୍ୟବହାର କରିବା ପାଇଁ ନୀତି ପ୍ରଣୟନ କରିଛନ୍ତି। କିଛି ବର୍ଷ ମଧ୍ୟରେ ଆୟୋଡିନଯୁକ୍ତ ଲୁଣର ଉତ୍ପାଦନ ନିମନ୍ତେ ଯଥେଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତ ସରକାର ଅଗଷ୍ଟ୧୫, ୨୦୦୫ରୁ ଅଣ-ଆୟୋଡିନଯୁକ୍ତ ଲୁଣ ବିକ୍ରି କରିବାରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ସମସ୍ୟାର ମୁକାବିଲା କରିବା ପାଇଁ ବିହିତ ପଦକ୍ଷେପ ନିଆ ଯାଉଥିବାବେଳେ ଆୟୋଡିନ ଅଭାବଜନିତ ସମସ୍ୟାର ନିରାକରଣ ଓ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ସ୍ତରରେ ଆୟୋଡିନଯୁକ୍ତ ଲୁଣର ସାର୍ବଜନୀନ ବ୍ୟବହାର କରିବା ପାଇଁ ଚୁକ୍ତିନାମା ଓ ଘୋଷଣାନାମା କରିଛନ୍ତି। ରାଜ୍ୟ ସରକାର ମଧ୍ୟ ରାଜ୍ୟ ଯୋଜନାରେ ଆୟୋଡିନଯୁକ୍ତ ଲୁଣର ବ୍ୟବହାର, ଅଣ-ଆୟୋଡିନଯୁକ୍ତ ଲୁଣର ବିକ୍ରି ଏବଂ ବଣ୍ଟନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ଭାରତରେ ଆୟୋଡିନ ଅଭାବଜନିତ ସମସ୍ୟା :
ଭାରତରେ ବହୁଦିନ ହେଲା ଆୟୋଡିନ ଅଭାବକୁ ଏକ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଗ୍ରହଣ କରାଯାଇଛି। ୧୯୬୦ ପରଠାରୁ ଆୟୋଡିନ ଅଭାବଜନିତ ସମସ୍ୟାର ଦୂରୀକରଣ ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଛି। ପ୍ରାଥମିକ ସ୍ତରରେ ଏହି ସମସ୍ୟା ହିମାଳୟ ଅଂଚଳରେ ଦେଖା ଦେଉଥିଲା। ପୋଟାସିୟମ ଆୟୋଡାଏଡ଼ ମାଧ୍ୟମରେ ନିରାକରଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ପରମୁହୂର୍ତ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏକ ସର୍ବେକ୍ଷଣ ହୋଇଥିଲା। ୨୫ ରାଜ୍ୟର ୨୮୩ ଜ଼ିଲ୍ଲାରେ ଏପରିକି ସମୁଦ୍ରକୂଳବର୍ତ୍ତୀ ଇଲାକାରେ ଆୟୋଡିନ ଅଭାବଜନିତ ସମସ୍ୟା ଥିବା ଦେଖିବାକୁ ମିଳିଥିଲା।
ଓଡ଼ିଶାରେ ଆୟୋଡିନ ଅଭାବଜନିତ ସମସ୍ୟା :
ଓଡ଼ିଶାର ଅଧିକ ଲୋକ ସମୁଦ୍ର ଉପକୂଳରେ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ଆୟୋଡିନଜନିତ ସମସ୍ୟା ରହିଛି। ଏହାକୁ ଓଡ଼ିଶାରେ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ ଧରାଯାଏନାହିଁ। କିନ୍ତୁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଏବଂ ନୂଆଦିଲ୍ଲୀସ୍ଥିତ ଏକ ପ୍ରତିଷ୍ଠିତ ଗବେଷଣା ଅନୁଷ୍ଠାନ ଦ୍ୱାରା ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ଓଡ଼ିଶାରେ ସର୍ଭେ ହୋଇଥିବା ୧୪ ଜ଼ିଲ୍ଲାରୁ ୧୨ ଜ଼ିଲ୍ଲାରେ ଆୟୋଡିନ ଅଭାବଜନିତ ସମସ୍ୟା ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ମାନନିର୍ଦ୍ଧାରଣ କରାଯାଇଛି ଯେ, ଯେଉଁଠି ଶତକଡ଼ା ୫ଭାଗରୁ ଅଧିକ ସମସ୍ୟା ଦେଖାଦିଏ ତାହାକୁ ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ ଗ୍ରହଣ କରି ରାଜ୍ୟ ସରକାର ଓ ଆନ୍ତର୍ଜାତିକ ସଂଗଠନଗୁଡ଼ିକ ବିଭିନ୍ନ ପଦକ୍ଷେପ ନେଇଥାନ୍ତି।
ସ୍ୱାସ୍ଥ୍ୟ ପାଇଁ କେତେ ପରିମାଣର ଆୟୋଡିନର ଆବଶ୍ୟକତା ରହିଛି :
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ସଂଗଠନ ଦ୍ୱାରା ନିମ୍ନମାନନିର୍ଦ୍ଧାରଣ କରାଯାଇଛି (ପ୍ରତିଦିନ):
୦-୭ ବର୍ଷର ଶିଶୁ – ୯୦ ଅନୁଗ୍ରାମ
୭-୧୨ ବର୍ଷର ଶିଶୁ -୧୨୦ ଅନୁଗ୍ରାମ
୧୨ ବର୍ଷରୁ ଊର୍ଦ୍ଧ୍ବ -୧୫୦ ଅନୁଗ୍ରାମ
ଗର୍ଭବତୀ ଓ ପ୍ରସୂତି ମା – ୨୦୦ ଅନୁଗ୍ରାମ
ସାଧାରଣ ଭାବେ ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ହାରାହାରି ୧୫୦ ଅନୁଗ୍ରାମ ଆୟୋଡିନ ଆବଶ୍ୟକ କରେ, ଯାହାକି ସାଧାରଣ ଆଖିରେ ଦେଖିବା କଷ୍ଟକର। ଆୟୋଡିନ ଲୁଣ ପ୍ରସ୍ତୁତି ଏକ ରାସାୟନିକ ପ୍ରକ୍ରିୟା ନୁହେଁ। ଏହା କେବଳ ଲୁଣରେ ମିଶା ଯାଇଥାଏ। ଆୟୋଡିନ ଉଭୟ ଗୁଣ୍ଡ ଓ ଗୋଟା ଲୁଣରେ ମିଶା ଯାଇପାରିବ। ଆୟୋଡିନ ଲୁଣ ପାଇଁ ଜଣେ ବ୍ୟକ୍ତିଙ୍କୁ ଅତି ସ୍ୱଳ୍ପ ଖର୍ଚ୍ଚ କରିବାକୁ ପଡ଼େ। ଅଧିକ ମାତ୍ରାରେ ଆୟୋଡିନ ଗ୍ରହଣ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାର ଅନେକ ଆଶଙ୍କା କରନ୍ତି। କିନ୍ତୁ ଏହା ଭୁଲ୍ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଭାରତରେ ଆୟୋଡିନ ଅଭାବଜନିତ ସମସ୍ୟା ବହୁ ପୂର୍ବରୁ ରହିଆସିଛି। ପୌରାଣିକ ଚିତ୍ର, ପଥର ମୂର୍ତ୍ତି ଦେଖିଲେ ବ୍ୟକ୍ତିଙ୍କର ବେକଫୁଲା ଦେଖାଯାଇଥାଏ, ଯାହାକି ଆୟୋଡିନ ଅଭାବଜନିତ ସମସ୍ୟାର ଏକ ଲକ୍ଷଣ। ଯଥେଷ୍ଟ ଆୟୋଡିନ ଥିବା ଲୁଣର ବ୍ୟବହାର ବଢ଼ୁଥିବାରୁ ଏହି ସମସ୍ୟା ଭାରତରେ ଆସ୍ତେଆସ୍ତେ ଦୂର ହେବାରେ ଲାଗିଛି। ଏହି ସମସ୍ୟାର ନିରକାରଣ ପାଇଁ ରାଜନୈତିକ ସଦିଛା, ଜନସଚେତନତାର ଆବଶ୍ୟକତା ରହିଛି, ଯଦ୍ୱାରା ଓଡିଶା ଏବଂ ଭାରତରେ ଆୟୋଡିନ ଅଭାବଜନିତ ସମସ୍ୟାର ନିରାକରଣ ହୋଇପାରିବ।
from ଜୀବନଚର୍ଯ୍ୟା | Sambad https://ift.tt/3jlOJK5
0 Comments