ଦୋଳ ମେଲଣ-ଲଉଡ଼ିଖେଳ

ଓଡ଼ିଶାରେ ପାଳିତ ହେଉଥିବା ପର୍ବମାନଙ୍କ ମଧ୍ୟରେ ଏକ ବିଶେଷ ପର୍ବ ହେଉଛି ଦୋଳପର୍ବ। ସାଧାରଣତଃ ଏହି ପର୍ବ ଫାଲଗୁନ ଶୁକ୍ଳଦଶମୀଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲେ। ଏହାର ଅନ୍ୟନାମ ଦୋଳଯାତ୍ରା। ଏଥିରେ ଦୋଳ ବା ବିମାନରେ ରାଧାକୃଷ୍ଣଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଏ ଏବଂ କୌଣସି ଏକ ନିର୍ଦ୍ଦିଷ୍ଟ ଖୋଲା ସ୍ଥାନରେ ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ବିମାନ ମାନ ଏକତ୍ର ହୋଇ ମେଲଣ ହୁଏ। ଏଥିରେ ନାଚଗୀତର ଆୟୋଜନ ହେବା ସହିତ ଫଗୁ ଖେଳ ହୋଇଥାଏ।

କଥିତ ଅଛି, ଯେ ଗୋପରେ ଥିଲାବେଳେ ଶ୍ରୀକୃଷ୍ଣ ପ୍ରଥମେ ଗୋପବାଳକମାନଙ୍କ ସହିତ ମିଶି ଏହି ଉତ୍ସବ କରିଥିଲେ। ‘ହରିବଂଶ’ରେ ଏହାର ସୁନ୍ଦର ବର୍ଣ୍ଣନା ଦେଇ ଗୋପାଳଗୁରୁ, ସନ୍ଥକବି ଅଚ୍ୟୁତାନନ୍ଦ ଦାସ କହିଛନ୍ତି-
‘‘ଖେମଟ ନୃତ୍ୟରେ ସର୍ବ ଗୋପାଳ ମତ୍ୱାଳ।
କଟିତଟେ ଶୋଭାବନ ଘାଗୁଡ଼ିର ମାଳ।
କାହାର ଗୁଂଜରା ମାଳି କେ ଚାମର ଧରି।
ରତନ କଠଉ ପୁଣି ପୟରେ କେ ଭରି।
ନଟିକାଳ ନୂଆ ବସ୍ତ୍ରେ ପାଉଛି କି ଶୋଭା।
କାମଦେବ ପରାୟେକ ସର୍ବ ନବଯୁବା।’’

‘ହରିବଂଶ’ରେ ଏହି ଯେଉଁ ବର୍ଣ୍ଣନା ରହିଛି, ଗୋପାଳ ସଂପ୍ରଦାୟର ଯୁବକମାନେ ସେହିପରି ବେଶଭୂଷା ହୋଇ ଦୋଳ ବିମାନ ସହିତ ଯାତ୍ରା କରିଥାନ୍ତି। ପାଇକଛା ମାରି, ନୂଆଲୁଗା ପିନ୍ଧି, ଅଣ୍ଟାରେ ଗାମୁଛା ବାନ୍ଧି, ତା’ ଉପରେ ଏକ ଘାଗୁଡ଼ି ମାଳ ଲଗାଇଥାନ୍ତି। ମୁଣ୍ଡରେ ଠେକା ଭିଡ଼ି, ସେଥିରେ ମଇଁଷି ଶିଙ୍ଗ ପିନ୍ଧିବା ସହିତ ମୟୂର ଚୂଳ ଖୋସିଥାଆନ୍ତି। ବେକରେ ଗୁଂଜରା ମାଳି ଓ ପାଦରେ ଘୁଙ୍ଗୁର ନାଇ, ହାତରେ ଦି’ଖଣ୍ଡ ଲଉଡ଼ି ଧରି, ଖୋଳ, କରତାଳ, ଶିଙ୍ଗା, ବେଣୁ, ଭେରୀ ଓ ତୂରୀ ଆଦି ବାଦ୍ୟଯନ୍ତ୍ରର ତାଳେତାଳେ ନାଚିନାଚି ଅଚ୍ୟୁତାନନ୍ଦଙ୍କ ରଚିତ ‘ଓଗାଳ’ ଗାଇଥାନ୍ତି।
‘ଓଗାଳ’ ବା ‘ଗୋପାଳଙ୍କ ଓଗାଳ’ର ଏପରି ଗୋଟିଏ ପଦ ହେଉଛି-
‘‘ଆସ ଆସରେ ଭାଇ ଖେଳ ଖେଳିବା ପାଇଁ
ଆନନ୍ଦେ ରାମକୃଷ୍ଣଙ୍କ ନାମକୁ ଗାଇ
ହାତେ ଲହୁଡ଼ି ଧରି କୃଷ୍ଣ ନାମକୁ ସ୍ମରି
ଏ ଭବ ସାଗରୁ ଆମ୍ଭେ ଯିବା ଯେ ତରି।’’

ଲଉଡ଼ି ଖେଳର ଏହି ନୃତ୍ୟ ଯେପରି ଆନନ୍ଦଦାୟକ, ସେହିପରି ମନୋମୁଗ୍ଧକର। ଏହାକୁ ଲଉଡ଼ି, ଲହୁଡ଼ି, ନଉଡ଼ି ବା ଗଉଡ଼ ନାଚ କହନ୍ତି। ଏହା ଗୋପାଳ ସଂପ୍ରଦାୟର ଏକ ଶ୍ରେଷ୍ଠ ପର୍ବ। ଏହି ସମୟରେ ଗୋପାଳ ସଂପ୍ରଦାୟ ଫଗୁ ବା ଅବିର ଦେଇ ଗୋପୂଜା ମଧ୍ୟ କରିଥାନ୍ତି। ଏହା ଓଡ଼ିଶାର ଏକ ସ୍ୱତନ୍ତ୍ର ପର୍ବ ଏବଂ ଏକ ସମୃଦ୍ଧ ପରଂପରା।

ଡକ୍ଟର ତୁଳସୀ ଓଝା

The post ଦୋଳ ମେଲଣ-ଲଉଡ଼ିଖେଳ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/2OMq4SK

Post a Comment

0 Comments