ଚାଚେରୀ ବେଶ, ଚାଚେରୀ ଭୋଗ

ଫାଲଗୁନ ମାସରେ ଭଗବାନ ବିଷ୍ଣୁ ଶ୍ରୀଗୋବିନ୍ଦ ରୂପରେ ଆରାଧିତ ହୋଇଥାନ୍ତି। ଏହି ମାସରେ ବସନ୍ତ ରାସ ବା ବସନ୍ତ ଉତ୍ସବ ଅନୁଷ୍ଠିତ ହୁଏ। ଓଡ଼ିଶାରେ ଏହା ଦୋଳୋତ୍ସବ ରୂପେ ପ୍ରସିଦ୍ଧ। ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏହି ଉତ୍ସବ ଫାଲଗୁନ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୁଏ। ଏହି ଉପଲକ୍ଷ୍ୟେ ଶ୍ରୀବିଗ୍ରହମାନଙ୍କର ଚାଚେରୀ ବେଶ ଓ ଚାଚେରୀ ଭୋଗ ହୋଇଥାଏ।

‘ଚାଚେରୀ’ ଶବ୍ଦ, ସଂସ୍କୃତ ‘ଚର୍ଚ୍ଚରୀ’ ଶବ୍ଦର ଅପଭ୍ରଂଶ। ଚର୍ଚରୀ ହୋଲି ଉତ୍ସବ, ବସନ୍ତ କାଳରେ ଗାନ କରାଯାଉଥିବା ଗୀତ, ବାଦ୍ୟ ଓ ଆମୋଦ ପ୍ରମୋଦ, ଆନନ୍ଦୋତ୍ସବ ଆଦିକୁ ବୁଝାଏ। ଶ୍ରୀମନ୍ଦିରରେ ଫଗୁଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ମଧ୍ୟାହ୍ନ ଧୂପ ନୀତି ସମାପନ ପରେ ଏହି ଚାଚେରୀ ବେଶ ଓ ଚାଚେରୀ ଭୋଗ ହୋଇଥାଏ। ଏଥିରେ ବୋଇରାଣି, ମାଧାବଳୀ ଆଦି ବସ୍ତ୍ର ସହିତ, ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ସ୍ୱର୍ଣ୍ଣ କୁଣ୍ଡଳରେ ଏବଂ ଦେବୀ ସୁଭଦ୍ରାଙ୍କୁ ସ୍ୱର୍ଣ୍ଣ ତଡ଼ଗିରେ ବିଭୂଷିତ କରାଯାଏ। ଗୁଣା, ଝୁମ୍ପା ଓ ଅଧରମାଳ ଇତ୍ୟାଦି ପୁଷ୍ପାଳଙ୍କାରରେ ମଣ୍ଡିତ ହେବା ପରେ, ଚାଚେରୀ ଭୋଗ ଲାଗି ହୁଏ। ଏହି ଭୋଗରେ ଆରିସା, ଧଉଳା, ଘି’ନାଡ଼ି, ଖଇରଚୂଳ, ଖିରି ଇତ୍ୟାଦି ଅର୍ପିତ ହୋଇଥାଏ।

ଶାସ୍ତ୍ରରେ ଆହାର ତ୍ରିବିଧ ବୋଲି ବର୍ଣ୍ଣନା କରାଯାଇଛି। ଏହା ହେଉଛି- ସାତ୍ତ୍ୱିକ, ରାଜସିକ ଓ ତାମସିକ। ତନ୍ମଧ୍ୟରେ ସାତ୍ତ୍ୱିକ ଆହାର ରସଯୁକ୍ତ, ଦୁଗ୍‌ଧ, ଘୃତାଦି ସ୍ନେହଗୁଣସଂପନ୍ନ, ସାରଯୁକ୍ତ ଏବଂ ହୃଦୟ ପ୍ରୀତିକର। ଶ୍ରୀମନ୍ଦିରରେ ଦାରୁବ୍ରହ୍ମରୂପୀ ଶ୍ରୀବିଗ୍ରହମାନଙ୍କୁ ଏହି ସାତ୍ତ୍ୱିକ ଆହାର ଭୋଗ ନୈବେଦ୍ୟ ରୂପେ ଅର୍ପିତ ହୋଇଥାଏ।

ଆୟୁର୍ବେଦ ଶାସ୍ତ୍ର ଅନୁସାରେ ବସନ୍ତ ଋତୁରେ କଫର ପ୍ରାଦୁର୍ଭାବ ଅତ୍ୟଧିକ ହୋଇଥାଏ। ତେଣୁ ଦୋଳଗୋବିନ୍ଦଙ୍କୁ ଏହି ଚାଚେରୀ ଭୋଗ ଅବସରରେ ଦୋଳପୂର୍ଣ୍ଣିମା ଦିନ ଦୋଳବେଦୀଠାରେ ଚଣା ଓ ଗୁଡ଼ରେ ପ୍ରସ୍ତୁତ ଚଣା ମୁଆଁ, ଉଖୁଡ଼ା ଓ ସାକର ଇତ୍ୟାଦି ରୁକ୍ଷ ଜାତୀୟ ଭୋଗ ଅର୍ପିତ ହୁଏ। ଏହା କଫ ନାଶକ ବୋଲି ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଉଲ୍ଲେଖ ରହିଛି।

ବାସ୍ତବରେ ଋତୁ ଅନୁଯାୟୀ ଶ୍ରୀମନ୍ଦିରରେ କେତେକ ବିଶେଷ ଭୋଗ ଦ୍ରବ୍ୟର ଖଞ୍ଜା ପ୍ରାଚୀନ ସମୟରୁ ପ୍ରଚଳିତ ହୋଇଆସିଛି। ଏଣୁ ବସନ୍ତ ଉତ୍ସବରେ ମହାପ୍ରଭୁଙ୍କ ଚାଚେରୀ ବେଶ ଯେପରି ଆନନ୍ଦବର୍ଦ୍ଧକ, ଚାଚେରୀ ଭୋଗ ମଧ୍ୟ ସେହିପରି ସ୍ୱାସ୍ଥ୍ୟ ପକ୍ଷେ ହିତକର।

ଡକ୍ଟର ଭାସ୍କର ମିଶ୍ର

The post ଚାଚେରୀ ବେଶ, ଚାଚେରୀ ଭୋଗ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3bXRpKm

Post a Comment

0 Comments