
ଆମ ପୁରାଣ ମତରେ ‘ଜାମ୍ବୁନଦ’ ହେଉଛି ସୁନାମାନଙ୍କ ମଧ୍ୟରେ ଶ୍ରେଷ୍ଠ। ଏହା ଦେବତାମାନଙ୍କର ଅତ୍ୟନ୍ତ ପ୍ରିୟ। ଦେବତାମାନେ ଯେଉଁ ସ୍ୱର୍ଣ୍ଣଅଳଙ୍କାର ପରିଧାନ କରନ୍ତି, ତାହା ଏହି ‘ଜାମ୍ବୁନଦ’ ସୁବର୍ଣ୍ଣରେ ପ୍ରସ୍ତୁତ ହୋଇଥାଏ ବୋଲି ପୁରାଣରେ ଉଲ୍ଲେଖ ଅଛି।
‘ଭାଗବତ’ରେ ଅଛି ସପ୍ତଦ୍ୱୀପ ଓ ସପ୍ତସାଗର ସୃଷ୍ଟିର ପ୍ରସଙ୍ଗ। ପୃଥୁରାଜାଙ୍କ ରଥଚକ୍ରରେ ଏହା ସୃଷ୍ଟି ହୋଇଥିଲା। ସେଥିରେ ବର୍ଣ୍ଣନା ଅଛି- “ସେ ରାଜା ରଥଚକ୍ରେ କରି। / ହୋଇଲା ଯେତେକ ବିସ୍ତାରି।। / ତେଣୁ ସପତ ସିନ୍ଧୁ ହେଲା। / ପୃଥିବୀ ସାତଭାଗ କଲା।। / ଶାକ ଶାଳ୍ମଳ ଜମ୍ବୁ ପ୍ଳକ୍ଷ। / କୁଶ ପୁଷ୍କର ଆଉ କ୍ରୌଞ୍ଚ।।” ଏହି ସପ୍ତଦ୍ୱୀପ ମଧ୍ୟରୁ ଜମ୍ବୁ ଗୋଟିଏ।
ପୁରାଣ ମତରେ, ମେରୁ ପର୍ବତକୁ ବେଷ୍ଟନ କରି ରହିଥିବା ପୃଥିବୀ ହେଉଛି ଜମ୍ବୁଦ୍ୱୀପ। ଏହା ନଅ ଭାଗରେ ବିଭକ୍ତ ଏବଂ ନଅଟି ‘ବର୍ଷ’ ଭାବରେ କଥିତ ହୁଏ। ‘ଭାରତବର୍ଷ’ ସେଥିମଧ୍ୟରୁ ଗୋଟିଏ। ମେରୁପର୍ବତର ଦକ୍ଷିଣ ପାର୍ଶ୍ବରେ ଗୋଟିଏ ବିରାଟ ଜମ୍ବୁ (ଜାମୁ) ବୃକ୍ଷ ଅବସ୍ଥିତ। ତାହାର ଫଳର ରସରୁ ଯେଉଁ ନଦୀର ସୃଷ୍ଟି- ତାହା ହେଉଛି ଜମ୍ବୁନଦ। ସେହି ନଦୀର ସୁବର୍ଣ୍ଣ ହେଉଛି ଶ୍ରେଷ୍ଠ ସୁବର୍ଣ୍ଣ ‘ଜାମ୍ବୁନଦ’।
‘ଭାଗବତ’ର ପଞ୍ଚମ ସ୍କନ୍ଧରେ ଏ ସଂପର୍କରେ ବର୍ଣ୍ଣନା ଅଛି- “ମେରୁ ମନ୍ଦରୁ ଜମ୍ବୁଫଳ। / ପାଚି ପଡ଼ଇ ମହୀତଳ।। /ହସ୍ତୀ ପ୍ରମାଣ ଫଳ ତାର। / ରସ ଗଳଇ ଯେ ଅପାର।। / ତହିଁରୁ ଜମ୍ବୁନଦ ଜାତ। / ଶୁଣ ସୁମନେ ପରୀକ୍ଷିତ।। / ତାହାର ଜଳ ସଂଯୋଗରେ। / ସୁବର୍ଣ୍ଣ ହୋଇଛି କ୍ଷିତିରେ।”
‘ଦେବୀ ଭାଗବତ’ରେ ମଧ୍ୟ ଏ ସଂପର୍କରେ ବର୍ଣ୍ଣନା ଅଛି। ସେଥିରେ ସୂଚିତ ହୋଇଛି- ଏହି ଜମ୍ବୁ (ଜାମୁ)ରସ ମୃତ୍ତିକା ସଂସ୍ପର୍ଶରେ ଆସିଲେ ଏବଂ ଜଳ, ବାୟୁ ଓ ଉତ୍ତାପର ପ୍ରଭାବ ଲାଭକଲେ ସୁବର୍ଣ୍ଣରେ ପରିଣତ ହୁଏ। ଏହା ଶ୍ରେଷ୍ଠତମ ସୁବର୍ଣ୍ଣ।
କିନ୍ତୁ, ଆମର ଏହି ପୁରାଣ ପ୍ରସଙ୍ଗର କୌଣସି ବୈଜ୍ଞାନିକ ଭିତ୍ତି ଅଛି କି ନା, ଏହା ଅନୁଧ୍ୟାନର ବିଷୟ।
The post ସୁନାର ନାମ ଜାମ୍ବୁନଦ first appeared on Sambad.from ଜୀବନଚର୍ଯ୍ୟା | Sambad https://ift.tt/3ElNhQN
0 Comments