‘ସୁନିଆ’ର ଅଭିଷେକ ଓ ଭେଟି

ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ହେଉଛି ଓଡ଼ିଶାର ରାଜକୀୟ ନବବର୍ଷ। ଏହିଦିନ ଗଜପତି ମହାରାଜାଙ୍କର ନୂତନ ଅଙ୍କର ପ୍ରଚଳନ ହୁଏ। ସୁନା ମୋହର ଉପରେ ଏହି ନୂତନ ଅଙ୍କ ଖୋଦିତ ହୁଏ। ଏହା ‘ଅଙ୍କକଟା’ ଭାବରେ ଖ୍ୟାତ। ଏଣୁ ‘ସ୍ୱର୍ଣ୍ଣମୁଦ୍ରା’ରୁ ‘ସୁନିଆ’ ହୋଇଛି ବୋଲି କୁହାଯାଏ। କୃଷ୍ଣ ସିଂହଙ୍କ ‘ମହାଭାରତ’ରେ ଏହାର ପ୍ରମାଣ ଅଛି। ‘ସଭାପର୍ବ’ର ବର୍ଣ୍ଣନାରେ କୁହାଯାଇଛି- “ସହସ୍ରେ ସୁନିଆରେ ଶିକାଟାଏ ଅଛି। / ସବୁ ରତ୍ନମାନଙ୍କେ ଭୂଷିତ ହୋଇଛି।” ସେହିପରି, ‘ଶାନ୍ତିପର୍ବ’ରେ ଉଲ୍ଲେଖ ଅଛି- “ନାଗର ଘେନି ଯେବେ ଆସିବ ସୁନିଆ। / ତାକୁ ଦେଖିଲେ ହୋଇବି ମୁଁ ନିଆଁ।” ଏ ଦୃଷ୍ଟିରୁ ‘ସୁନିଆ’ର ଅର୍ଥ- ସ୍ୱର୍ଣ୍ଣମୁଦ୍ରା, ମଉଡ଼ ବା ମୋହର ବୋଲି ‘ଭାଷାକୋଷ’ରେ କୁହାଯାଇଛି।

ଏହିଦିନ ରାଜା ବା ଜମିଦାରମାନଙ୍କର ଅଭିଷେକ ହୋଇଥାଏ। ପୁରୀ ଶ୍ରୀନଅରରେ ମଧ୍ୟ ଗଜପତି ମହାରାଜାଙ୍କର ଅଭିଷେକ ହୁଏ। ପୂର୍ବେ ଏହିଦିନ ରାଜକର୍ମଚାରୀ ଓ ପ୍ରଜାମାନେ ରାଜାଙ୍କୁ ଧନ, ରତ୍ନ ଆଦି ନାନା ଉପହାର ଦେବାର ବିଧି ବା ପରମ୍ପରା ପ୍ରଚଳିତ ଥିଲା। ତାହା ‘ସୁନିଆ ଭେଟି’ ଭାବରେ ପ୍ରସିଦ୍ଧ ହୋଇଥିଲା।

ମନେହୁଏ, ଭଗବାନ ବିଷ୍ଣୁଙ୍କ ‘ବାମନାବତାର’ ସହିତ ଏହାର ଏକ ସଂଯୋଗସୂତ୍ର ରହିଛି। ଭାଦ୍ରବମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି, ଶ୍ରବଣା ନକ୍ଷତ୍ର ଓ ଅଭିଜିତ୍ ମୁହୂର୍ତ୍ତରେ, ଏକ ଦିବ୍ୟ ଜ୍ୟୋତିର୍ମୟ ବାଳକ ରୂପରେ ‘ବାମନାବତାର’ଙ୍କର ଆବିର୍ଭାବ ଘଟିଥିଲା। ‘ବାମନ ପୁରାଣ’ର ବର୍ଣ୍ଣନା ଅନୁସାରେ, ତାହାପରେ ତାଙ୍କର ଜାତସଂସ୍କାର ବା ଅଭିଷେକ କରାଯାଇଥିଲା। ସେହି ଅବସରରେ ବ୍ରହ୍ମା ତାଙ୍କୁ କୃଷ୍ଣସାର ମୃଗର ଚର୍ମ ଓ ଦେବଗୁରୁ ବୃହସ୍ପତି ଯ‌େଜ୍ଞାପବୀତ ଉପହାର ଦେଇଥିଲେ। ଋଷିମାନଙ୍କ ମଧ୍ୟରୁ, ବ୍ରହ୍ମାପୁତ୍ର ମରୀଚି ପଳାଶଦଣ୍ଡ, ଅଙ୍ଗିରା ରେଶମବସ୍ତ୍ର, ପୁଲହ ଆସନ ଓ ପୁଲସ୍ତ୍ୟ ହରିଦ୍ରାବର୍ଣ୍ଣର ବସ୍ତ୍ର ଉପହାର ଦେଇଥିଲେ। ତାହାପରେ ସେହି ବାମନ, ବଳିଙ୍କଠାରୁ ଛଳରେ ଦାନ ଗ୍ରହଣ କରିବାପାଇଁ ତାଙ୍କ ଯଜ୍ଞସ୍ଥଳକୁ ଯାତ୍ରା କରିଥିଲେ।

ଉଲ୍ଲେଖନୀୟ ଯେ ଏହିଦିନ ଶ୍ରୀମନ୍ଦିରରେ ମଧ୍ୟ ବାମନଜନ୍ମ ନୀତି ଅନୁଷ୍ଠିତ ହୁଏ। ସୁବର୍ଣ୍ଣ ନିର୍ମିତ ବାମନ ବିଗ୍ରହଙ୍କୁ ପଞ୍ଚାମୃତରେ ସ୍ନାନ କରାଯାଇ, ନବବସ୍ତ୍ର, ଅଧିବାସ ହୋଇଥିବା ପବିତ୍ରା ଓ ଅଳଙ୍କାର ଆଦି ଲାଗି କରାଯାଏ।

ଏଣୁ, ବାମନ ଦ୍ୱାଦଶୀରେ ହିଁ ସୁନିଆର ରାଜାଭିଷେକ ନୀତି ସଂପନ୍ନ ହେଉଥିବାରୁ, ‘ସୁନିଆ ଭେଟି’ ସହିତ ଏହାର ତାତ୍ପର୍ଯ୍ୟପୂର୍ଣ୍ଣ ସଂପର୍କ ରହିଥିବା ଅନୁମିତ ହୁଏ।

The post ‘ସୁନିଆ’ର ଅଭିଷେକ ଓ ଭେଟି first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3CjTF9k

Post a Comment

0 Comments